ଯିଏ ମଦ ପିଇବ ସିଏ ମରିବ ତ ନିଶ୍ଚୟ । ବିହାର ମଦମୃତ୍ୟୁକୁ ନେଇ କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । 

134

କନକ ବ୍ୟୁରୋ : ମଦ ବନ୍ଦ ସତ୍ତେ୍ୱ ମଧ୍ୟ ବିହାରରେ ବିଷାକ୍ତ ମଦ ପିଇ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । ଆଉ ଏହି ମଦ ମୃତ୍ୟୁକୁ ନେଇ ବିରୋଧୀ ବିଜେପି ନୀତିଶ ସରକାରଙ୍କୁ ଘେରିଛନ୍ତି । ଆଉ ଏହାର ଜବାବରେ ବିଧାନସଭାରେ ନୀତିଶ କହିଛନ୍ତି, ଯିଏ ବି ନକଲି ମଦ ପିଇବ ସିଏ ମରିବ, ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି ।

ନୀତିଶ କୁମାର କହିଛନ୍ତି, ଯେତେବେଳେ ବିହାରରେ ମଦ ବନ୍ଦ ହୋଇନଥିଲା । ସେତେବେଳେ ମଧ୍ୟ ନକଲି ମଦ ପିଇ ଲୋକ ମୃତ୍ୟୁବରଣ କରୁଥିଲେ । ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳେ । ତେଣୁ ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ବିହାରରେ ଯେହେତୁ ମଦ ବନ୍ଦ ହୋଇଛି, ତେଣୁ କୌଣସି ବାଟରେ ତ ନକଲି ମଦ ବଜାରକୁ ଆସୁଛି । ଯାହାକୁ ପିଇବା ପରେ ଲୋକଙ୍କର ମୃତ୍ୟୁ ହୋଇଛି । ମଦ ଏକ କୁଅଭ୍ୟାସ, ତେଣୁ ଏହାକୁ ପିଇବା ଆଦୌ ଉଚିତ୍ ନୁହେଁ ।

ଏପରିକି ନୀତିଶ କହିଛନ୍ତି, ଏହି ଘଟଣାରେ ଗରିବଙ୍କୁ ଧରିବା ବଦଳରେ ଯେଉଁ ଲୋକ ନକଲି ମଦ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଧରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି । ମଦ ବନ୍ଦ ହେବା ଫଳରେ ଅନେକ ଲୋକ ଲାଭାନିତ୍ୱ ହୋଇଛନ୍ତି ଏବଂ ମଦ ଛାଡି ଦେଇଛନ୍ତି । ଏହାସହ ନୀତିଶ ଅପିଲ କରି କହିଛନ୍ତି, ମଦ ସହ ଜଡିତ ବ୍ୟବସାୟରୁ ନିଜକୁ ଦୂରେଇ ରଖନ୍ତୁ ଏବଂ ଅନ୍ୟ କୌଣସି ବ୍ୟବସାୟ କରନ୍ତୁ  ।ଯଦି ଆବଶ୍ୟକ ପଡେ ତେବେ ସରକାର ଅନ୍ୟ ବ୍ୟବସାୟ ପାଇଁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସହାୟତା କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।