କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ କେଉଁମାନେ ଦେଇଥାନ୍ତି ଭୋଟ ? ନିର୍ବାଚନ ପ୍ରକ୍ରିୟା ଓ କାର୍ଯ୍ୟକାଳ ଅବଧି, ଜାଣନ୍ତୁ ସବୁକିଛି

151

କନକ ବ୍ୟୁରୋ : ଦୀର୍ଘଦିନର ଅପେକ୍ଷା ପରେ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି କଂଗ୍ରେସ ତରଫରୁ ତାରିଖ ଘୋଷଣା କରାଯାଇଛି । ଘୋଷଣା ମୁତାବକ ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଭୋଟ ଗ୍ରହଣ ହେବ ଓ ୧୯ ତାରିଖରେ ଭୋଟ ଗଣତି ହେବ । ଏନେଇ ପ୍ରାର୍ଥୀମାନେ ସେପ୍ଟେମ୍ବର ୨୪ ତାରିଖରୁ ୩୦ ମଧ୍ୟରେ ନାମାଙ୍କନ ଭରିପାରିବେ । ଏନେଇ ସେପ୍ଟେମ୍ବର ୨୨ ତାରିଖରେ ବିଜ୍ଞପ୍ତି ପକ୍ରାଶ ପାଇବ ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆପଣମାନେ ଉତ୍ସାହିତ ଥିବେ କି ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳର ଅଧ୍ୟକ୍ଷ ନିର୍ବାଚନ କିଭଳି ହୋଇଥାଏ ? ଏହି ନିର୍ବାଚନରେ କେଉଁମାନେ ଭୋଟ ଦେଇଥାନ୍ତି ଓ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ କେତେ ବର୍ଷ ?

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଦଳର ସମ୍ବିଧାନ ମୁତାବକ ହୋଇଥାଏ । ହେଲେ ଏହାର ଆରମ୍ଭ ସଦସ୍ୟତା ଅଭିଯାନରୁ ହୋଇଥାଏ । ଏହି ସଦସ୍ୟତା ଅଭିଯାନ ପାଖାପାଖି ୧ ବର୍ଷ ଧରି ଚାଲିଥାଏ । ଏହାପରେ ବୁଥ୍ କମିଟି, ବ୍ଲକ କମିଟି ଓ ଜିଲ୍ଲା କମିଟି ତିଆରି କରାଯାଏ । ଏହାପରେ ପ୍ରତି ଜିଲ୍ଲାର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର ଜଣେ ପଦାଧିକାରୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେଇଥାନ୍ତି ।

ନିର୍ବାଚନର ସମସ୍ତ ପ୍ରକ୍ରିୟା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି ଦ୍ୱାରା ସ୍ଥିର ହୋଇଥାଏ । କେନ୍ଦ୍ରୀୟ ନିର୍ବାଚନ କମିଟି ଓ ବାକି ଟିମ୍ ର ଗଠନ କାର୍ଯ୍ୟକାରୀ ସମିତିର ସହାୟତାରେ ଦଳର ଅଧ୍ୟକ୍ଷ କରିଥାନ୍ତି । ନିର୍ବାଚନ କମିଟି ଗଠନ ହୋଇସାରିବା ପରେ ନିର୍ବାଚନୀ ପ୍ରକ୍ରିୟାରେ ପ୍ରତି ସ୍ତରର ଚୟନ , ନାମାଙ୍କନ, ନାମ ପ୍ରତ୍ୟାହାର, ସ୍କୁଟିନ, ନିର୍ବାଚନ ଫଳାଫଳ ଓ ବିଜୟ ପରେ ସାର୍ଟିଫିକେଟ ଦେବାପାଇଁ ତାରିଖ ସ୍ଥିର କରାଯାଇଥାଏ । ଏହାପରେ କଂଗ୍ରେସ ତରଫରୁ କେନ୍ଦ୍ରୀୟ ନିର୍ବାଚନ କମିଟି ନିର୍ବାଚନ ପାଇଁ ପ୍ରତିି ରାଜ୍ୟରେ ଜଣେ କିମ୍ବା ଦୁଇଜଣ (ରାଜ୍ୟର ଆକାର ମୁତାବକ) ଆସିଷ୍ଟାଣ୍ଟ ପ୍ରଦେଶ ରିଟନିଂ ଅଫିସର ନିଯୁକ୍ତ କରାଯାଇଥାଏ ।

ଏହାପରେ ପ୍ରଦେଶ କଂଗ୍ରେସ ସମିତିର ସଦସ୍ୟ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କର ପ୍ରସ୍ତାବକ ହୋଇଥାନ୍ତି । ଦଳର କୌଣସି ବି ସଦସ୍ୟ ନିଜକୁ ଅଧ୍ୟକ୍ଷ ପଦପାଇଁ ନାମାଙ୍କନ କରିପାରିବେ । ହେଲେ ତାଙ୍କ ପଛରେ ସର୍ବନିମ୍ନ ୧୦ ଜଣ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟଙ୍କ ସମର୍ଥନ ରହିଥିବା ଆବଶ୍ୟକ ।

ଏସବୁ ସରିବା ପରେ ଆଶାୟୀ ପ୍ରାର୍ଥୀଙ୍କ ନାମ ରିଟଣ୍ଣିଂ ଅଫିସରଙ୍କ ପାଖକୁ ପଠାଇ ଦିଆଯାଇଥାଏ । ଏହାପରେ ନିର୍ବାଚନ ତାରିଖ ସ୍ଥିର କରାଯାଇଥାଏ । ଏହି ସମୟରେ ନାମ ପ୍ରତ୍ୟାହାର ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ୭ ଦିନ ସମୟ ଦିଆଯାଇଥାଏ । କଂଗ୍ରେସ ପାର୍ଟିର ସମ୍ବିଧାନ ମୁତାବକ ଯଦି ଜଣେ ରୁ ଅଧିକ ନାମାଙ୍କନ ଭରନ୍ତି ତେବେ ନିର୍ବାଚନ କରାଯାଇଥାଏ । ଯଦି କେବଳ ଜଣେ ପ୍ରାର୍ଥୀ ହୁଅନ୍ତି ତେବେ ବିନା ନିର୍ବାଚନରେ ତାଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଥାଏ ।

କଂଗ୍ରେସରେ ପ୍ରତି ୫ ବର୍ଷରେ ଥରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥାଏ । ପ୍ରଥମେ ଏହି ପଦର କାର୍ଯ୍ୟକାଳ ୩ ବର୍ଷ ଥିଲା । ଅନ୍ୟପଟେ ଜରୁରୀକାଳୀନ ପରିସ୍ଥିତି ଓ ଅଧ୍ୟକ୍ଷଙ୍କ ଦେହାନ୍ତ ହୋଇଗଲେ ଦଳର ସବୁଠାରୁ ବରିଷ୍ଠ ମହାସଚିବଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଦିଆଯାଇଥାଏ । ଯିଏ କି ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ ଦଳର ମଙ୍ଗ ଧରିଥାନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ନୈତିକତା ଦୃଷ୍ଟିରୁ କଂଗ୍ରେସର ଅଧ୍ୟକ୍ଷ ଥିବା ରାହୁଲ ଗାନ୍ଧୀ ହଠାତ ଇସ୍ତଫା ଦେଇଥିଲେ । ଏହାପରେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଛନ୍ତି ।