ମାଟିରେ ମିଶିଗଲା ଟ୍ୱିନ ଟାୱାର: ଏବେ ଚିନ୍ତାରେ ପକାଇଛି ବାୟୁ ପ୍ରଦୂଷଣ

156

କନକ ବ୍ୟୁରୋ: ଆଇନକୁ ଦଳି ମକଚି ନୋଏଡା ଛାତି ଉପରେ ଗଢ଼ା ଯାଇଥିବା ଦୁଇଟି ଆକାଶଚୁମ୍ବୀ ଟାୱାର ଧୂଳିସାତ ହୋଇଯାଇଛି । ଟିଭି ପରଦା ଉପରେ ଏତେ ବଡ଼ ବଡ଼ କୋଠା ମାତ୍ର କେଇ ସେକେଣ୍ଡ ଭିତରେ ଧୂଳିରେ ପରିଶତ ହେବାର ଦୃଶ୍ୟ ଦେଖିଛନ୍ତି ଦେଶବାସୀ । ହଲିଉଡ୍ ଫିଲ୍ମ ଭଳି ଲାଗୁଥିବା ସେହି ମୁହୂର୍ତର ଦୃଶ୍ୟକୁ ଓଲଟାଇ ବାରମ୍ବାର ଦେଖାଇବାର ସୁଯୋଗକୁ ହାତଛଡ଼ା କରିନାହାନ୍ତି ନ୍ୟୁଜ ଚ୍ୟାନେଲ୍ ।

ଟାୱର ଧ୍ୱଂସ ହେବା ସମୟରେ ହୋଇଥିବା ବିସ୍ଫୋରଣର ଶବ୍ଦ କେବଳ ନୋଏଡାବାସୀ ନୁହନ୍ତି, ଟିଭି ଜରିଆରେ ସାରା ଦେଶବାସୀ ଏହି ଶବ୍ଦ ଶୁଣିଛନ୍ତି । ତାସ ଘର ଭଳି ଟାୱାର ଭୁଶୁଡି ପଡ଼ିବା ବେଳେ ଧୂଳିକଣା ଓ ପାଉଁଶ ବ୍ୟାପୀ ଯାଇଥିବାର ଦୃଶ୍ୟ, ଏକ ଭୟାନକ ଯୁଦ୍ଧର ବିଭୀଷିକାର ଭ୍ରମ ସୃଷ୍ଟି କରିଛି । କିନ୍ତୁ ଏବେ ବଡ଼ ପ୍ରଶ୍ନ ହେଉଛି, ୧୭ ବର୍ଷର ବିବାଦ ଏହି ଧ୍ୱଂସ ସହ ଏଇଠି ସରିଯାଇଛି, ନା’ ଏହାର ଭୟାନକ ପ୍ରଭାବ ଆଗକୁ ଦେଖିବାକୁ ବାକି ଅଛି । କାରଣ ଟାୱାର ଧ୍ୱଂସ ସହରରେ ଯେଉଁ ଧୂଳିକଣା, ନୋଏଡା ସହରକୁ ଧଳା ଚାଦରରେ ଘୋଡ଼ାଇ ଦେଇଥିଲା, ତାର ପରିବେଶ ଉପରେ କଣ ପ୍ରଭାବ ପଡ଼ିବ । ତାହା ଉପରେ ସମସ୍ତଙ୍କ ନଜର ଅଟକିଛି ।

ଟ୍ୱିନ୍ ଟାୱାର ଧ୍ୱଂସ ହୋଇଯିବା ପରେ ପାହାଡ଼ ଆକାରରେ ଧ୍ୱଂସାବଶେଷ ଓ ଧୂଳିକଣା ସୃଷ୍ଟି ହୋଇଛି । ୮୦ ହଜାର ଟନ୍ ଧୂଳିକଣା ଜମା ହୋଇଥିବା ଆକଳନ କରାଯାଇଛି । ବାଲି, ସିମେଂଟ, ଇଟା ଓ ଲୁହାଗୁଣ୍ଡ ବାୟୁମଣ୍ଡଳରେ ମିଶି ଦୂରକୁ ଚାଲିଯିବା ପୂର୍ବରୁ ପାଣି ସ୍ପ୍ରେ କରାଯାଇ, ସ୍ଥିର କରିବାକୁ ଉଦ୍ୟମ କରାଯାଉଛି । ହେଲେ ଅତି ସୂକ୍ଷ୍ମ କଣିକାକୁ କିପରି ରୋକିହେବ, ତାହା ଏବେ ଚିନ୍ତାର କାରଣ ପାଲଟିଛି । ଯଦି ଏହା ବାୟୂମଣ୍ଡଳରେ ମିଶିଯିବ, ତେବେ ଏହା ଅନେକ ମାରାତ୍ମକ ରୋଗର କାରଣ ହୋଇପାରେ ।

ଟ୍ୱିନ୍ ଟାୱାର ଧ୍ୱଂସ ପୂର୍ବରୁ ପାଖାପାଖି ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଖପାଖ ଅଂଚଳରେ ଯେଉଁ ଧୂଳିର ଆସ୍ତରଣ ଦେଖିବାକୁ ମିଳିଛି, ତାହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଆଶଙ୍କା ରହିଛି ।