ମାଉଣ୍ଟ ଏଭରେଷ୍ଟ ବିଜୟର ୭୦ ତମ ବାର୍ଷିକୀ, ୫୦୦  ପର୍ବତାରୋହୀଙ୍କ ସହ ୪ ଜଣ ଭାରତୀୟ ଶିଖରରେ ପାଳନ କଲେ  ଉତ୍ସବ ।

58

୧୯୫୩ ମସିହାରେ ହିଲାରୀ-ନର୍ଗେ ଏଭରେଷ୍ଟ ଉପରକୁ ଚଢିବା ପରେ ଏ ଯାଏ ପ୍ରାୟ ୭୦୦୦ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢି ପାରିଛନ୍ତି । ଏହି ସମୟ ମଧ୍ୟରେ ୩୦୦ ରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ୨୦୨୩  ମସିହାରେ, ୧୦୩ ଜଣ ମହିଳାଙ୍କ ସମେତ ମୋଟ ୪୭୮ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢିଛନ୍ତି ।

ମାଉଣ୍ଟ ଏଭରେଷ୍ଟକୁ ବିଜୟ କରିବାର କ୍ରେଜ ୭୦ ବର୍ଷ ପରେ ମଧ୍ୟ ଆଜି ବି କମିନାହିଁ । ଆଜି ବି ସବୁ ପର୍ବତାରୋହୀଙ୍କ ମନରେ ମାଉଣ୍ଟ ଏଭରେଷ୍ଟକୁ ବିଜୟ ଲାଭ କରିବାର ସ୍ବପ୍ନ ଉଙ୍କି ମରୁଛି ।  କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତାପମାତ୍ରା, ଗ୍ଲେସିୟର ତରଳିଯିବା ଏବଂ ତୁଷାରପାତରେ ଦ୍ରୁତ ପରିବର୍ତ୍ତନ ସତ୍ତ୍ବେ ପର୍ବତାରୋହୀ ସମ୍ପ୍ରଦାୟ ମାଉଣ୍ଟ ଏଭରେଷ୍ଟ ଆରୋହଣର ୭୦ ତମ ବାର୍ଷିକୀ ପାଳନ କରିଥିଲେ। ୨୦୨୩ ମସିହାରେ ୪ ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦୦ ପର୍ବତାରୋହୀ ଏଭରେଷ୍ଟ ଚଢି ପାରିଛନ୍ତି।

ମେ ୨୯, ୧୯୫୩ ରେ, ନ୍ୟୁଜିଲ୍ୟାଣ୍ଡର ଏଡମଣ୍ଡ ହିଲାରୀ ଏବଂ ନେପାଳର ଶେର୍ପା ଟେନଜିଙ୍ଗ ନରଗେ ପ୍ରଥମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ପର୍ବତ ଏଭରେଷ୍ଟକୁ ଜୟ କଲେ। ଏହି ୮୮୪୮.୮୬  ମିଟର (୨୯୦୩୨ ଫୁଟ) ଉଚ୍ଚ ପର୍ବତ ଶିଖରକୁ ନେପାଳୀ ଭାଷାରେ ‘ସାଗରମାଥା’ କୁହାଯାଏ । ପ୍ରଥମ ଥର ଏଭରେଷ୍ଟ ଆରୋହଣ ହେବା ପରଠାରୁ ଏହି ବିରଳ ଯାତ୍ରା ପାଇଁ ଭାରତ ଏବଂ ନେପାଳ ସମେତ ବିଶ୍ବର ହଜାର ହଜାର ପର୍ବତାରୋହୀ ଆକର୍ଷିତ ହୋଇଥିଲେ। ଯଦିଓ ଅନେକ ଲୋକ ଦୁନିଆର ସର୍ବୋଚ୍ଚ ଶିଖରରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଏବଂ ସେହିପରି ଏହି ପ୍ରୟାସରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି ।

୭ ହଜାର ପର୍ବତାରୋହୀଙ୍କ ସଫଳ ଆରୋହଣ

ସରକାରୀ ଆକଳନ ଅନୁଯାୟୀ, ୧୯୫୩ ମସିହାରେ ହିଲାରୀ-ନର୍ଗେ ଏଭରେଷ୍ଟ ଉପରକୁ ଚଢିବା ପରେ ପ୍ରାୟ ୭୦୦୦ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢି ପାରିଛନ୍ତି । ଏହି ସମୟ ମଧ୍ୟରେ ୩୦୦ ରୁ ଅଧିକ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ୨୦୨୩  ମସିହାରେ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ବ୍ୟତିକ୍ରମ ହେଇନାହିଁ । ୧୦୩ ମହିଳାଙ୍କ ସମେତ ମୋଟ ୪୭୮ ପର୍ବତାରୋହୀ ୨୦୨୩ ର ପ୍ରାରମ୍ଭରେ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଆରୋହଣ କରିଛନ୍ତି । ଏହି ବର୍ଷ ଚାରିଜଣ ଭାରତୀୟ ନାଗରିକ ମଧ୍ୟ ସଫଳତାର ସହ ମାଉଣ୍ଟ ଏଭରେଷ୍ଟ ଉପରକୁ ଚଢିଛନ୍ତି ଏବଂ ଆରୋହଣ ସମୟରେ ଜଣେ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥିଲା ।

ୟାସି ଜୈନ , ମିଥିଳା  ରାଜୁ, ସୁନୀଲ କୁମାର ଏବଂ ପିଙ୍କି ହରିସ୍ ଗତ ୧୭ ତାରିଖରେ  ସଫଳତାର ସହ ବିଶ୍ୱର ସର୍ବୋଚ୍ଚ ଶିଖରକୁ ଚଢିଥିଲେ । ପେସମେକର ଲାଗିଥିବା ଭାରତୀୟ ପର୍ବତାରୋହୀ ସୁଜାନ ଲିଓପୋଲଡିନା ଯୀଶୁଙ୍କ ମେ ୧୮ ରେ ଏଭରେଷ୍ଟ ବେସ କ୍ୟାମ୍ପ ନିକଟରେ ଶିଖର ଉପରକୁ ଚଢିବାକୁ ଚେଷ୍ଟା କରୁଥିବାବେଳେ ମୃତ୍ୟୁ ଘଟିଥିଲା ।

୨୦୨୩ ରେ ୧ ଜଣ ଭାରତୀୟଙ୍କ ସମେତ ୧୧ ପର୍ବତାରୋହୀଙ୍କ ମୃତ୍ଯୁ ।

ଏହି ମାମଲା ସହ ଜଡିତ ନେପାଳୀ ଅଧିକାରୀମାନେ କହିଛନ୍ତି ଯେ ଚଳିତ ବର୍ଷ ଏଭରେଷ୍ଟ ପର୍ବତରେ ୮ ଜଣ ପର୍ବତାରୋହୀ ନିଖୋଜ ଥିବାବେଳେ ୪  ଜଣ ନେପାଳୀ, ଜଣେ ଭାରତୀୟ ଏବଂ ଜଣେ ଚାଇନିଜଙ୍କ ସମେତ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି । ନେପାଳର ୫୩  ବର୍ଷିୟ କାମି ରୀତା ଶେର୍ପା ମେ ୧୭ ଏବଂ ମେ ୨୩ ରେ ଚଳିତ ସିଜନରେ ଦୁଇଥର ଶୀର୍ଷରେ ପହଞ୍ଚି ସର୍ବାଧିକ ୨୮  ଥର ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାର ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୨୨  ପର୍ଯ୍ୟନ୍ତ କାମି ରୀତାଙ୍କ ରେକର୍ଡ ତାଙ୍କ ସହକର୍ମୀ ୪୬ ବର୍ଷିୟ ଶେର୍ପା ପାସଙ୍ଗ ଡାୱାଙ୍କ ସହ ସମାନ ଥିଲା । ଏହି ବର୍ଷ ସେ ମେ ୧୪ ରେ ୨୬ ତମ ଥର ଏବଂ ମେ ୧୭ ରେ ୨୭ ତମ ଥର ପାଇଁ ସର୍ବୋଚ୍ଚ ଶିଖରରେ ପହଞ୍ଚିବାର କୃତିତ୍ୱ ହାସଲ କରିଥିଲେ । କେବଳ ଏତିକି ନୁହେଁ, ଦୁଇ ଗୋଡ ଅକ୍ଷମ ଥିବା ପୂର୍ବତନ ବ୍ରିଟିଶ ଗୋର୍ଖା ସୈନିକ  ହରି ବୁଦ୍ଧମାଗର (୪୩ ର୍ଷ), କୃତ୍ରିମ ଗୋଡ ସହିତ ବିଶ୍ୱର ସର୍ବୋଚ୍ଚ ଶିଖରକୁ ଚଢିବାର ଏହି ବର୍ଗର ପ୍ରଥମ ବ୍ୟକ୍ତି ହୋଇ ମେ ୧୯ ରେ ଇତିହାସ ସୃଷ୍ଟି କରିଥିଲେ।ସେହି ଦିନ ୩୯ ବର୍ଷିୟ ଭାରତୀୟ ମୂଳ ସିଙ୍ଗାପୁରର ପର୍ବତାରୋହୀ ଶ୍ରୀନିବାସ ସାଇନି ଦତ୍ତାତ୍ରେୟ ଏଭରେଷ୍ଟ ପର୍ବତର ଶିଖରରୁ ଫେରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ସେହିଭଳି ୩  ନେପାଳୀ ଶେର୍ପା ଗାଇଡ୍ (ଥମ୍ୱା ଟେନଜିଂ ଶେର୍ପା, ଲକ୍ଷ୍ମୀ ରୀତା ଶେର୍ପା ଏବଂ ବଦୁର ଶେର୍ପା) ୧୨ ଏପ୍ରିଲରେ ନିଖୋଜ ହୋଇଯାଇଥିଲେ ।  ଯେତେବେଳେ ୫୦ ମିଟରରୁ ଅଧିକ ଉଚ୍ଚର ଏକ ବଡ଼ ବରଫ ପର୍ବତ ଭୁଶୁଡ଼ି ସେମାନଙ୍କୁ କବର ଦେଇଥିଲା ।

ନେପାଳ ରେକର୍ଡ ସଂଖ୍ୟକ ପରମିଟ ଦେଇଛି

ନେପାଳ ସରକାର ଚଳିତ ବର୍ଷ ଏଭରେଷ୍ଟ ପର୍ବତ ଉପରକୁ ଚଢିବା ପାଇଁ ୬୫ ଟି ବିଭିନ୍ନ ଦେଶର ୪୬୬ ଜଣ ପର୍ବତାରୋହୀଙ୍କୁ  ପରମିଟ  ଦେଇଛି । ସେଥିମଧ୍ୟରୁ ୪୦ ଟି କେବଳ ଭାରତର । ପୂର୍ବରୁ ଏହି ରେକର୍ଡ ୨୦୨୧  ଥିଲା ଯେତେବେଳେ ୪୦୯ ଣଙ୍କୁ ଅନୁମତି ଦିଆଯାଇଥିଲା । ୨୦୨୨ ରେ ଏହି ସଂଖ୍ୟା ଥିଲା ୩୨୩ ।