ନବ ଦାସ ହତ୍ୟା ମାମଲା : ଆଜି କ୍ରାଇମ ସ୍ପଟରେ କ୍ରାଇମ ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ

129

କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସଙ୍କର ହୋଇପାରେ ସିନ୍ ରିକ୍ରିଏସନ । କ୍ରାଇମସ୍ପଟକୁ ଗୋପାଳଙ୍କୁ ନେଇ ସିନ୍ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ଏହି ସମୟରେ ଗୁଜରାଟ ଗାନ୍ଧୀନଗରରୁ ଆସିଥିବା ଏକ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିବ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ତଦନ୍ତକାରୀ ଟିମ୍ ଗୋପାଳଙ୍କୁ ମାରାଥନ ଜେରା କରୁଛି । ଅଭିଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସ୍ଏପି ଦ୍ୱିତୀୟ ବାଟାଲିୟନ ପରିସରକୁ ପୁଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ ।

ରାତି ୧୨ଟାରେ ପୁଲିସ ଫୋର୍ସ ସହିତ ଗୋପାଳକୁ ଓଏସ୍ଏପି ଦ୍ୱିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍ ଘରେ ରଖାଯାଉଥିବା ଜଣାଯାଇଛି । ସେଠାରେ ତାକୁ ଜେରା କରାଯାଉଥିବା ନେଇ କୁହାଯାଉଥିବା ବେଳେ ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁରକ୍ଷାରେ ତାକୁ ନେଇ ଓଏସ୍ଏପି ଦ୍ୱିତୀୟ ବାଟାଲିୟନରେ ଦିନ ତମାମ ରଖାଯାଉଛି । ଏହାର ଉଦ୍ଦେଶ୍ୟ ଜଣାପଡ଼ୁନଥିବା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ମଧ୍ୟ କିଛି କହୁନାହାନ୍ତି ।