ମହାରାଷ୍ଟ୍ର କଂଗ୍ରେସକୁ ବଡ ଝଟକା, ଦଳର ସମସ୍ତ ପଦରୁ ଇସ୍ତଫା ଦେଲେ ବିଧାୟକଦଳର ନେତା ବାଲାସାହେବ ଥୋରାତ

218

କନକ ବ୍ୟୁରୋ : ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବେର କଂଗ୍ରେସ ବିଧାୟକ ଦଳର ନେତା ବାଲାସାହେବ ଥୋରାତ ଆଜି ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ବାଲାସାହେବ ଥୋରାତ ସ୍ପଷ୍ଟ ଭାବେ ଦଳର ରାଜ୍ୟ ଅଧ୍ୟକ୍ଷ ନାନା ପଟୋଲେଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି । ଥୋରାତଙ୍କ ଇସ୍ତଫା ପରେ ଏବେ ମହାରାଷ୍ଟ୍ର କଂଗ୍ରେସର ଦଳୀୟ କନ୍ଦଳ ଚରମସୀମାରେ ପହଂଚିଛି । ଏହି କ୍ରମରେ କିଛି କଂଗ୍ରେସ ନେତା ନାନା ପଟୋଲେଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି ।

ଏହା ପୂର୍ବରୁ ବାଲାସାହେବ ଥୋରାତ ଦଳର ହାଇକମାଣ୍ଡଙ୍କୁ ଚିଠି ଲେଖି ନାନା ପଟୋଲେଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେ ତାଙ୍କ ଚିଠିରେ ଲେଖିଥିଲେ କି, ଏବେ ଦଳ ଭିତରେ ନାନା ପଟୋଲେଙ୍କ ସହ କାମ କରିବା କଷ୍ଟକର ହୋଇପଡିଛି । ସୂଚନା ଥାଉକି ମହାରାଷ୍ଟ୍ର ଏମଏଲସି ନିର୍ବାଚନ ସମୟରୁ ଏହି ବିବାଦ ଦେଖିବାକୁ ମିଳିଥିଲା । ବାଲାସାହେବ ଥୋରାତଙ୍କ ଭିଣୋଇ ତଥା ନାସିକର ପୂର୍ବତନ ଏମଏଲସି ସୁଧୀର ତାମ୍ବେ କଂଗ୍ରେସ ତରଫରୁ ପ୍ରାର୍ଥୀ ହେବାକୁ ମନା କରିଥିଲେ ଓ ତାଙ୍କ ପୁଅକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢାଇଥିଲେ ।

 ଫେବୃଆରୀ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ ସୁଧୀର ତାମ୍ବେଙ୍କ ପୁଅ ସତ୍ୟଜିତ୍ ତାମ୍ବେ ନିର୍ଦ୍ଦଳୀୟ ଭାବେ ନିର୍ବାଚନରେ ବିଜୟୀ ହୋଇଥିଲେ । ଏସବୁ ଭିତରେ ମହାରାଷ୍ଟ୍ର କଂଗ୍ରେସର ବିଧାୟକଦଳ ନେତା ବାଲାସାହେବ ଥୋରାତଙ୍କ ସମର୍ଥନ ତାଙ୍କ ଭିଣୋଇଙ୍କ ପ୍ରତି ରହିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦଳ ପ୍ରଥମେ ସୁଧୀର ତାମ୍ବେ ଓ ତାଙ୍କ ପୁଅ ସତ୍ୟଜିତ ତାମ୍ବେଙ୍କୁ ନିଲମ୍ବିତ କରିଥିଲା ।