ସ୍ୱାଭିମାନ ଅଂଚଳରେ ଏବେ ଗଂଜେଇ ନୁହେଁ ଚାଷୀଙ୍କୁ ରୋଜଗାର ହେଉଛି ମାଣ୍ଡିଆ ଚାଷ, ମିଲେଟ୍ ମିଶନ ଜରିଆରେ ଖୋଲିଛି ମାଣ୍ଡିଆ ମଣ୍ଡି

117

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ଏବେ ଗଂଜେଇ ନୁହେଁ ଚାଷୀଙ୍କୁ ରୋଜଗାର ଦେଉଛି ମାଣ୍ଡିଆ ଚାଷ । କୁଇଣ୍ଟାଲ କୁଇଣ୍ଟାଲ ମାଣ୍ଡିଆ ଏବେ ମିଲେଟ୍ ମିଶନ ଜରିଆରେ ମଣ୍ଡିରେ ବିକ୍ରି କରାଯାଉଛି । ଆଉ ଚାଷୀ ମାନେ ମଧ୍ୟ ଉଚିତ୍ ମୂଲ୍ୟ ପାଉଛନ୍ତି । ମଣ୍ଡି ଖୋଲିବା ଦିନ ଠାରୁ ଆଉ ଠକାମିର ଶିକାର ହେଉନାହାଁନ୍ତି ଚାଷୀ । ସ୍ୱାଭିମାନ ଅଞ୍ଚଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପୂର୍ବରୁ ଲୋକଙ୍କ ଅର୍ଥ ଉପାର୍ଜନର ଏକମାତ୍ର ମାଧ୍ୟମ ଥିଲା ଗଂଜେଇ ଚାଷ । ଏବେ ସ୍ୱାଭିମାନ ଅଞ୍ଚଳର ଚିତ୍ର ବଦଳିଛି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଚାଷ କାମରେ ଆସିଛି ପରିବର୍ତନ । ଲୋକେ ଆଉ ବେଆଇନ ଗଂଜେଇ ଚାଷ ନକରି ଏବେ ଅର୍ଥକାରୀ ଫସଲ ମାଣ୍ଡିଆ ଚାଷ କରୁଛନ୍ତି । ଏଥିରେ ଲାଭବାନ ମଧ୍ୟ ହେଉଛନ୍ତି । ମଣ୍ଡିରେ କୁଇଣ୍ଟାଲ କୁଇଣ୍ଟାଲ ମାଣ୍ଡିଆ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ଚାଷୀ । ଚଳିତ ବର୍ଷ ଚିତ୍ରକୋଣ୍ଡା ବ୍ଲକରେ ୧୦ ହଜାର କୁଇଣ୍ଟାଲ ମାଣ୍ଡିଆ କିଣାଯିବ ବୋଲି ଅନୁମାନ କରାଯାଉଛି ।

୨୦୧୯ ମସିହା ଡିସେମ୍ବର ୨୩ ତାରିଖରେ ଓଡ଼ିଶା ମିଲେଟ୍ ମିଶନ ଦ୍ୱାରା ସ୍ୱାଭିମାନ ଅଞ୍ଚଳର ଆରମ୍ଭ ହୋଇଛି ମାଣ୍ଡିଆ ମଣ୍ଡି । ଆଉ ସେବେଠାରୁ ସ୍ୱାଭିମାନ ଅଞ୍ଚଳର ବଢ଼ିଛି ମାଣ୍ଡିଆ ଚାଷ । ଯାହାଦ୍ୱାରା ଅନେକ ଚାଷୀ ଉପକୃତ ହେଉଛନ୍ତି । ପୂର୍ବରୁ ଚାଷୀ ମାନେ ଆନ୍ଧ୍ର ଦଲାଲ ଓ ଅନ୍ୟ ବ୍ୟବସାୟୀଙ୍କ ଦ୍ୱାରା ଠକାମିର ଶିକାର ହେଉଥିଲେ । କିଲୋପ୍ରତି ୧୦ରୁ ୧୫ ଟଙ୍କାରେ ଦଲାଲ ମାନେ ମାଣ୍ଡିଆ କିଣି ନେଉଥିଲେ । ଏବେ ମଣ୍ଡି ଖୋଲିବା ପରେ କିଲୋପ୍ରତି ୩୫ ଟଙ୍କା ୮୭ ପଇସା ପାଉଛନ୍ତି । ସଠିକ୍ ମୂଲ୍ୟ ମିଳିବାରୁ ଚାଷୀ ମଧ୍ୟ ଅଧିକ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ସ୍ୱାଭିମାନ ଅଞ୍ଚଳର ବଡପୋଡା, ରାଲେଗାଡ଼ା, ଧୂଳିପୁଟ, ପାପରମେଟଲା, ଯୋଡାମ୍ଭ, ପଣସପୁଟ ଆଦି ଅଞ୍ଚଚଳରେ ପ୍ରଚୁର ପରିମାଣର ମାଣ୍ଡିଆ ଚାଷ ହୋଇଥାଏ । ଯଦି ପ୍ରତିବର୍ଷ ସଠିକ ସମୟରେ ମାଣ୍ଡିଆ ମଣ୍ଡି ଖୋଲାଯାଏ ତେବେ ଏହାଦ୍ୱାରା ଅନେକ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।