ଗୃହିଣୀରୁ ସଫଳ ଉଦ୍ୟୋଗୀ, ଆଠଗଡ଼ ଗୁରୁଡ଼ିଝାଟିଆ ଅଂଚଳରେ ଦୁଇ ଯାଆ ମିଶି ପ୍ରସ୍ତୁତ କରୁଛନ୍ତି କେକ୍, ପେଟିସ, ବିସ୍କୁଟ, ପିଜ୍ଜା ଓ ବରଗର ଭଳି ବେକରି ଆଇଟମ

186

କନକ ବ୍ୟୁରୋ : ଗୃହିଣୀରୁ ସଫଳ ଉଦ୍ୟୋଗୀ । ଆଠଗଡ଼ ଗୁରୁଡ଼ିଝାଟିଆ ଗାଁର ଦୁଇ ଜାଆ ଅମିତା ଦଳାଇ ଓ ସଂଯୁକ୍ତା ସ୍ୱାଇଁ । ଦିନେ ସାଧାରଣ ଗୃହିଣୀ ଥିଲେ । ଘରେ ବସିବା ଅପେକ୍ଷା କିଛି ରୋଜଗାର କରିବା ପାଇଁ ଚିନ୍ତା କରି ଏହି କାମକୁ ଆପଣାଇଛନ୍ତି । ୨୦୨୦ ମସିହାରୁ ଘରେ ଜନ୍ମଦିନ କେକ୍ ତିଆରି ଆରମ୍ଭ କରି ବିକ୍ରି କରିବା ଆରମ୍ଭ କରିଥିଲେ । ଏହାପରେ ଘର ଲୋକଙ୍କ ପ୍ରେରଣାରେ ଆଗେଇ ଚାଲିଛନ୍ତି ଏହି ଦୁଇ ମହିଳା । ପ୍ରଥମେ ୫୦ ହଜାର ଟଙ୍କା ବ୍ୟୟରେ ଆରମ୍ଭ କରିଥିବା ଏହି ବ୍ୟବସାୟ ଏବେ ଲକ୍ଷାଧିକ ଟଙ୍କାରେ ପହଞ୍ଚିଲାଣି । ଆଠଗଡ଼ ଅଞ୍ଚଳରେ ଏକ ସଫଳ ଉଦ୍ୟୋଗ ପ୍ରତିଷ୍ଠା କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଦୁଇ ଯାଆ ।

୭ ମାସ ହେଲା ଜଣେ କାରିଗର ଏବଂ ଦୁଇ ଜାଆ ମିଶି ଏହି କାମ କରୁଛନ୍ତି । ଘର କାମ ପରେ ଅବସର ସମୟକୁ ଅପଚୟ ନକରି ଜନ୍ମଦିନ କେକ୍, ପେଟିସ, ବିସ୍କୁଟ୍, ପିଜା, ବରଗର ପ୍ରସ୍ତୁତ କରି ବଜାରରେ ବିକ୍ରି କରି ଭଲ ରୋଜଗାର କରୁଛନ୍ତି । ଦୁଇ ଜାଆ କଟକ ମାଲଗୋଦାମରୁ କଞ୍ଚାମାଲ କିଣି ନିଜର ସମୟ ଦେଇ ସବୁ ଜିନିଷ ପ୍ରସ୍ତୁତ କରୁଛନ୍ତି । ଏବେ ବ୍ୟବସାୟ ବଢ଼ି ମାସକୁ ୩ଲକ୍ଷ ଟଙ୍କାର ବ୍ୟବସାୟ ହେଉଛି । କାରିଗରଙ୍କ ଦରମା, ସମସ୍ତ ଖର୍ଚ୍ଚ ଯାଇ ମାସକୁ ୫୦ ହଜାର ଟଙ୍କା ଲାଭ ମିଳୁଛି । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଦୁଇ ଜାଆ । ଅନ୍ୟପଟେ ତାଙ୍କ କମ୍ପାନୀରେ କାମ କରି କିଛି ରୋଜଗାର କରିପାରୁଥିବାରୁ ଖୁସି ପ୍ରକାଶ କରିଛନ୍ତି କାରିଗର ।

ଦୁଇ ଯାଆ ନିଜେ ରୋଜଗାର କରିବା ସହ ଅନ୍ୟ ଦୁଇ ଜଣଙ୍କୁ ରୋଜଗାର ଦେଇଛନ୍ତି । କିଛି ପ୍ରୋତ୍ସାହନ ମିିଳିଲେ ତାଙ୍କ ଉଦ୍ୟୋଗ ଆହୁରି ଆଗକୁ ବଢ଼ିପାରିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି