ଯୁବପିଢ଼ି ପାଇଁ କେନ୍ଦ୍ରର ବଡ଼ ଯୋଜନା । ଅକ୍ଟୋବର ୩୧ରେ ‘ମେରା ଯୁବା ଭାରତ’ ପ୍ଲାଟଫର୍ମ

194

କନକ ବ୍ୟୁରୋ: ଯୁବଶକ୍ତିର ଭରପୂର ଉପଯୋଗ ଏବଂ ଯୁବପିଢ଼ିର ଆଶା ଆକାଂକ୍ଷାକୁ ସାକାର କରିବା ପାଇଁ ମେରା ଯୁବା ଭାରତ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ି ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବଢ଼ାଇବା ଓ ସୃଜନଶୀଳତା ବୃଦ୍ଧି କରିବା । ଏହି ପ୍ଲାଟଫର୍ମ ଜରିଆରେ ଉପକୃତ ହେବେ ୧୫ରୁ ୨୯ ବର୍ଷ ବୟସର ଯୁବକ ଯୁବତୀ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଏହା ଜରିଆରେ ଯୁବଶକ୍ତି ଦେଶର ବିକାଶକୁ ତ୍ୱରାନ୍ୱିତ କରିବ ।

  • ଯୁବପିଢ଼ି ପାଇଁ କେନ୍ଦ୍ରର ବଡ଼ ଯୋଜନା
  • ଅକ୍ଟୋବର ୩୧ରେ ‘ମେରା ଯୁବା ଭାରତ’ ପ୍ଲାଟଫର୍ମ

ନଜର ପକାନ୍ତୁ ‘ମେରା ଯୁବା ଭାରତ’ ପ୍ଲାଟଫର୍ମର ବିଶେଷତ୍ୱ ଉପରେ…

  • ଏହା ଏକ ସ୍ୱୟଂଚାଳିତ ସଂଗଠନ
  • କେନ୍ଦ୍ର କ୍ୟାବିନେଟ୍ ଏହାକୁ ଅନୁମୋଦନ ଦେଇଛି
  • ଏହି ଡିଜିଟାଲ୍ ପ୍ଲାଟଫର୍ମରେ ଯୋଡି ହେବେ ଯୁବବର୍ଗ
  • ଦେଶରେ ୧୫ରୁ ୨୯ବର୍ଷ ବୟସର ପ୍ରାୟ ୪୦କୋଟି ଯୁବବର୍ଗ ରହିଛନ୍ତି
  • ଆଶା ଆକାଂକ୍ଷା ପୂରଣ ପାଇଁ ସମସ୍ତଙ୍କୁ ମିଳିବ ସମାନ ସୁଯୋଗ
  • ଯୁବଶକ୍ତିର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ
  • ଆତ୍ମନିର୍ଭର ହେବା ସହ ଦେଶ ଗଠନରେ ବଢ଼ିବ ଯୁବପିଢ଼ିର ଭାଗିଦାରୀ
  • ସରକାର ଓ ନାଗରିକକୁ ସଂଯୋଗ କରିବ ‘ଯୁବ ସେତୁ’

‘ମେରା ଯୁବା ଭାରତ’କୁ ନେଇ ରାଜ୍ୟ ବିଜେପି ବେଶ ଉତ୍ସାହିତ ରହିଛି । ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି । ଓଡ଼ିଶାରେ ପ୍ରାୟ ୧୦ ଲକ୍ଷ ଶିକ୍ଷିତ ବେକାରୀ ଅଛନ୍ତି, ସେମାନେ ଏଥିରେ ଉପକୃତ ହେବେ । ଅନ୍ୟପଟେ ବିଜେଡି ଏଥିରେ ରାଜନୀତିର ଗନ୍ଧ ବାରିଛି । ନିର୍ବାଚନ ପୂର୍ବରୁ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ଏହାର ଲକ୍ଷ୍ୟ ବୋଲି କହିଛନ୍ତି ବିଜେଡି ବିଧାୟକ ଭୂପିନ୍ଦର ସିଂହ ।

ସୂଚନାଯୋଗ୍ୟ, ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ଜନ୍ମ ଜୟନ୍ତୀ । ଏହି ଦିନ ‘ମେରା ଯୁବା ଭାରତ’ ପ୍ଲାଟଫର୍ମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।