ମହାନଦୀ ଟ୍ରିବ୍ୟୁନାଲର ଆସୁନି ରାୟ । ଖରାଦିନେ ମରୁଡ଼ି, ବର୍ଷାଦିନେ ବନ୍ୟା । ଛତିଶଗଡ଼ର ମନମାନୀ ଯୋଗୁଁ ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ ।

84

କନକ ବ୍ୟୁରୋ: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହୋଇଥିଲା ମହାନଦୀ ଟ୍ରିବ୍ୟୁନାଲ । କିନ୍ତୁ ଯାହା ଜଣାପଡୁଛି, ବିବାଦର ସମାଧାନ ହେଉନାହିଁ , ବରଂ ରାୟ ଆସିବା ପରିବର୍ତ୍ତେ ତାରିଖ ପରେ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି । ୪ ବର୍ଷ ହେଲାଣି ଶୁଣାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଆଉ ଆଜି ଏହି ବିବାଦର ଶୁଣାଣି ହେବାର ଥିଲେ ବି ଏହା ଘୁଞ୍ଚି ଯାଇଛି ଆଉ ଏହାକୁ ନେଇ ପ୍ରଶ୍ନ ଉଠାଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

  • ମହାନଦୀ ଟ୍ରିବ୍ୟୁନାଲ୍
  • ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା
  • ତାରିଖ ପରେ ତାରିଖ ଗଡୁଛି

ଖରାଦିନେ ଶୁଖିଲା ମହାନଦୀ ଓ ବର୍ଷା ଦିନେ ବନ୍ୟାର ବିଭୀଷିକା ଦେଖି ଆସୁଛି ଓଡ଼ିଶା । ଏହି ଦୁଇଟି ଯାକ ସମସ୍ୟା ସୃଷ୍ଟି ହେବାର କାରଣ ହେଉଛି ପଡ଼ୋଶୀ ଛତିଶଗଡ଼ର ମନମାନି । ଖରାଦିନେ ପାଣି ଅଟକାଉଛି, ବର୍ଷା ଦିନେ ମନଇଚ୍ଛା ପାଣି ଛାଡ଼ି ଅଧା ଓଡ଼ିଶାକୁ ବୁଡାଉଛି । ମହାନଦୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଢ଼ା ହୋଇଛି । କିନ୍ତୁ କିଛି ରାୟ ଆସୁନାହିଁ, କେବଳ ତାରିଖ ପରେ ତାରିଖ ମିଳୁଛି । କାହିଁକି ରାଜ୍ୟ ସରକାର ଚୁପ୍ ହୋଇ ବସିଛନ୍ତି, ଏ ନେଇ ପ୍ରଶ୍ନ ଉଠାଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

  • ମହାନଦୀ ଟ୍ରିବ୍ୟୁନାଲକୁ ୪ ବର୍ଷ ପୂରିବ
  • ବସିଲାଣି ୩୦ ବୈଠକ
  • ଖର୍ଚ୍ଚ ହେଲାଣି ସାଢ଼େ ୬ କୋଟି ଟଙ୍କାରୁ ଅଧିକ

ଶନିବାର ଦିନ ମହାନଦୀ ଟ୍ରିବ୍ୟୁନାଲ୍ର ୩୦ତମ ବୈଠକ ବସିଥିଲା । ଦୁଇ ପକ୍ଷର ଶୁଣାଣି କରିବା ପରେ ପୁଣି ସେପ୍ଟେମ୍ବର ୨୪ରେ ବୈଠକ ବସିବା ନେଇ ସ୍ଥିର ହୋଇଛି । ପଦ୍ମ ଘୁଞ୍ଚିବା ଭଳି ଘୁଞ୍ଚୁଛି ଟ୍ରିବ୍ୟୁନାଲର ରାୟ । ଏପରି କଚ୍ଛପ ଗତି ଯୋଗୁ ବନ୍ୟା ଓ ମରୁଡ଼ି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଓଡ଼ିଶାବାସୀ । ଏଥିପାଇଁ ଶାସକ ଦଳକୁ ବିରୋଧୀ ଦାୟୀ କରୁଥିବା ବେଳେ କେନ୍ଦ୍ର ଆଡକୁ ଦୋଷ ଠେଲିଛି ବିଜେଡି । ତେବେ ମହାନଦୀ ଟ୍ରିବ୍ୟୁନାଲ କିପରି ଶୀଘ୍ର ରାୟ ପ୍ରକାଶ କରିବ, ଏ ନେଇ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ମହାନଦୀ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ମତ ପ୍ରକାଶ ପାଇଛି ।