ରାହୁଲଙ୍କ ସଦସ୍ୟତା ରଦ୍ଦ ଉପରେ ଜର୍ମାନୀର ପ୍ରତିକ୍ରିୟା। ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ବୟାନ, ବୈଦେଶିକ ଶକ୍ତି ଆଗରେ ନଇଁବୁ ନାହିଁ

263

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ସଦସ୍ୟତା ରଦ୍ଦ ମାମଲାରେ ଗୋଟିଏ ପରେ ଗୋଟିଏ ପ୍ରତିକ୍ରିୟା ଆସୁଛି । ପ୍ରଥମେ ଆମେରିକା ଆଉ ବର୍ତ୍ତମାନ ଜର୍ମାନୀ ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି । ଜର୍ମାନୀର ପ୍ରତିକ୍ରିୟାକୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଧନ୍ୟବାଦ ଜଣାଇଥିଲେ । ତେବେ ବର୍ତ୍ତମାନ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଏହାକୁ ନେଇ ଜବାବ ଦେଇଛନ୍ତି । ଟ୍ୱିଟର ସ୍କ୍ରିନ ସଟକୁ ସେ ସେୟାର କରି ଲେଖିଛନ୍ତି, ଭାରତର ଆଭ୍ୟନ୍ତରୀଣ ବ୍ୟାପାର ପ୍ରସଙ୍ଗରେ ବିଦେଶୀ ଶକ୍ତିଙ୍କୁ ଡାକିଥିବାରୁ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ।

ଜର୍ମାନୀ ବୈଦେଶିକ ମନ୍ତ୍ରାଳୟର ଜଣେ ପ୍ରବକ୍ତା ରାହୁଲ ଗାନ୍ଧୀଙ୍କ ମାମଲାରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ନ୍ୟାୟିକ ବ୍ୟବସ୍ଥାରେ ସ୍ୱାଧୀନତା ଏବଂ ଲୋକତାନ୍ତ୍ରିକ ସିଦ୍ଧାନ୍ତକୁ ଏକାଠି ରଖିବାକୁ ପଡିବ । ଏହାକୁ ନେଇ କଂଗ୍ରେସ ନେତା ଦିଗବିଜୟ ସିଂହ ଜର୍ମାନୀର ବୈଦେଶିକ ମନ୍ତ୍ରାଳୟ ଏବଂ ସାମ୍ବାଦିକ ରିଚାର୍ଡ ବ୍ଲାକରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି ଭାରତର ଲୋକତନ୍ତ୍ର ସହ କେମିତି ବୁଝାମଣା ହେଉଛି ଏହା ଉପରେ ଧ୍ୟାନ ଦେଇଥିବାରୁ ଆପଣଙ୍କର ଧନ୍ୟବାଦ ।

ସାମ୍ବାଦିକ ଜଣଙ୍କ ଜର୍ମାନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତାଙ୍କ ଭିଡିଓ ସେୟାର କରିଥିଲେ । ଏହି ବାର୍ତ୍ତାରେ ପ୍ରବକ୍ତା କହିଛନ୍ତି, ନିଷ୍ପତ୍ତି ଏହଂ ସଂସଦରେ ସଦସ୍ୟତା ରଦ୍ଦ ଉପରେ ଆମର ନଜର ରହିଛି।