ରୋହିତ ନଂ ୧, ଧୋନୀ ନମ୍ବର ୨ । ରୋହିତଙ୍କ ଆଇପିଏଲ୍ ଆୟ ୧୭୮ କୋଟି, ଧୋନୀଙ୍କ ଆଇପିଏଲ୍ ଆୟ ୧୭୬ କୋଟି । ଜାଣନ୍ତୁ, ଆଇପିଏଲରୁ ଆୟ କରିବା କ୍ଷେତ୍ରରେ କେଉଁ ଖେଳାଳି ରହିଛନ୍ତି ଟପ୍ ୧୦ରେ…

285

କନକ ବ୍ୟୁରୋ: ଆଇପିଏଲରେ ଟଙ୍କା ବର୍ଷା ହେଉଥିବା ଆପଣ ଜାଣିଥିବେ । ଆଇପିଏଲ୍ ଖେଳି ଖେଳାଳିମାନେ କୋଟିପତି ହେବା କଥା ବି ଆପଣ ଶୁଣିଥିବେ । ହେଲେ ଆଜି ଆମେ ଆଇପିଏଲରୁ ସବୁଠୁ ଅଧିକ ଆୟ କରିଥିବା ଖେଳାଳିଙ୍କ ତାଲିକା ଆପଣଙ୍କୁ ଜଣାଇବୁ । ଯାହା ଆପଣ ବୋଧହୁଏ ପୂର୍ବରୁ କେବେ ବି ଜାଣିନଥିବେ, କି କେବେ ବି ଶୁଣିନଥିବେ ।

ଆଇପିଏଲରୁ ଇନକମ୍ କରିବା ବାବଦରେ ଯଦି, କେଉଁ ଖେଳାଳି ସବୁଠୁ ଉପରେ ରହିଛନ୍ତି । ତେବେ ସେ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ରୋହିତ ଶର୍ମା । ୨୦୦୮ରୁ ୨୦୨୩ ଭିତରେ ସେ ଆଇପିଏଲରୁ ମୋଟ ୧୭୮ କୋଟି ଟଙ୍କା ଆୟ କରିସାରିଲେଣି । ତାଙ୍କ ଭଳି ଅନ୍ୟ କୌଣସି ବି ଖେଳାଳି ଏତେ ପରିମାଣର ଟଙ୍କା ଆଇପିଏଲରୁ ଆୟ କରିପାରିନାହାଁନ୍ତି ।
ସେହିପରି ଆଇପିଏଲରୁ ଅଧିକ ଟଙ୍କା ଆୟ କରିବାରେ, ନମ୍ବର ୨ରେ ରହିଛନ୍ତି ଏମ୍ ଏସ୍ ଧୋନୀ । ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍ ଥିବା ଧୋନୀ । ଏପର୍ଯ୍ୟନ୍ତ ଆଇପିଏଲରୁ ମୋଟ ୧୭୬ କୋଟି ଟଙ୍କା ଆୟ କରିସାରିଲେଣି । ପ୍ରଥମ ସିଜିନରେ ମାତ୍ର ୬ କୋଟି ଟଙ୍କାରେ ନିଲାମ ହୋଇଥିବା ଧୋନୀ, ଏବେ ୧୨ କୋଟି ଟଙ୍କାରେ ଚେନ୍ନାଇ ସହ ରହିଛନ୍ତି । ୨୦୦୮ରୁ ୨୦୨୩ ଭିତରେ ସେ ଚେନ୍ନାଇ ସୁପର କିଙ୍ଗସଠାରୁ ମୋଟ ୧୭୬ କୋଟି ଟଙ୍କା ଆୟ କରିଛନ୍ତି ।

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି, ଏପର୍ଯ୍ୟନ୍ତ ଆଇପିଏଲରୁ ମୋଟ ୧୭୩ କୋଟି ଟଙ୍କା ଆୟ କରିଛନ୍ତି । ଆରସିବିରି ଏହି ପୂର୍ବ ଅଧିନାୟକ ଆଇପିଏଲ୍ ଇତିହାସରେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ କରିଛନ୍ତି । ଯେଉଁ କାରଣରୁ ଦୀର୍ଘ ଦିନ ଧରି ସେ ଆରସିବିରେ ରହିଛନ୍ତି । ତେବେ ଆଇପିଏଲ୍ ଆୟ ବାବଦରେ ରୋହିତ ଆଉ ଧୋନୀଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି ।

କୋହଲିଙ୍କ ପରେ ଆଇପିଏଲରୁ ଅଧିକ ଆୟ କରିବା ଲିଷ୍ଟରେ ଅଛନ୍ତି ମିଷ୍ଟର ଆଇପିଏଲ୍ ସୁରେଶ ରାଇନା । ଚେନ୍ନାଇ ସୁପର କିଙ୍ଗସ ତରଫରୁ ମ୍ୟାଚ୍ ଖେଳୁଥିବା ଏହି ଖେଳାଳି ଜଣକ, ଆଇପିଏଲରୁ ମୋଟ ୧୧୦ କୋଟି ଟଙ୍କା ଆୟ କରିଛନ୍ତି । ସେହିପରି ଚେନ୍ନାଇ ସୁପର କିଙ୍ଗସର ଆଉ ଜଣେ ଖେଳାଳି – ରବୀନ୍ଦ୍ର ଜାଡେଜା ଏହି ଲିଷ୍ଟର ୫ମ ସ୍ଥାନରେ ରହିଛନ୍ତି । ବର୍ତମାନ ସୁଦ୍ଧା ଆଇପିଏଲରୁ ୧୦୯ କୋଟି ଟଙ୍କା ଇନକମ୍ କରିସାରିଲେଣି ସାର୍ ଜାଡେଜା ।

ଯଦି ଆଇପିଏଲ୍ ଇନକମ୍ କଥା ଦେଖିବା, ତେବେ ଏହି ଲିଷ୍ଟର ଟପ୍ ଟେନ୍ ଭିତରେ କାରବିଆନ୍ ଖେଳାଳି ସୁନୀଲ ନାରିନଙ୍କ ସହିତ ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଦଷ ଖେଳାଳି ଏବି ଡିଭିଲିୟର୍ସ ମଧ୍ୟ ରହିଛନ୍ତି । ତା ସହିତ ଭାରତୀୟ ଖେଳାଳି ଗୌତମ ଗମ୍ଭୀର, ଶିଖର ଧାୱନ୍ ଏବଂ ଦିନେଶ କାର୍ତ୍ତିକ ମଧ୍ୟ ଆଇପିଏଲରୁ ସବୁଠୁ ଅଧିକ ଆୟ କରିଥିବା ୧୦ ଜଣ ଖେଳାଳିଙ୍କ ଭିତରେ ରହିଛନ୍ତି । ଏ ପର୍ଯ୍ୟନ୍ତ ଆଇପିଏଲରୁ ସୁନୀଲ ନାରିନ୍ ୧୦୭ କୋଟି ଟଙ୍କା ଇନକମ୍ କରିଥିବାବେଳେ, ଏବି ଡିଭିଲିୟର୍ସ ୧୦୨ କୋଟି, ଗୌତମ ଗମ୍ଭୀର ୯୪ କୋଟି, ଶିଖର ଧାୱନ୍ ୯୧ କୋଟି ଏବଂ ଦିନେଶ କାର୍ତିକ ୮୬ କୋଟି ଟଙ୍କା ଆୟ କରିଛନ୍ତି ।