ମୁଣ୍ଡିଆ ମାରି କ୍ଷମା ନ ମାଗିବାରୁ ଗାଁରୁ ବାସନ୍ଦ : ଗାଁ ଛାଡ଼ି ଏବେ ବିଲରେ ରହୁଛନ୍ତି ପରିବାର, କଙ୍ଗାରୁ କୋର୍ଟର ନିଷ୍ପତ୍ତି

173

କନକ ବ୍ୟୁରୋ : ମୁଣ୍ଡିଆ ମାରି କ୍ଷମା ନ ମାଗିବାରୁ ଗାଁରୁ ବାସନ୍ଦ । ଗାଁ ଛାଡ଼ି ଏବେ ବିଲ ରହୁଛନ୍ତି ପରିବାର । କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ଏହି ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଛି । ଯିଏ ବି ଏହି ପରିବାର ସହ କଥା ହେବ କିମ୍ବା କୌଣସି ସମ୍ପର୍କ ରଖିବ, ତାଙ୍କୁ ଦେବାକୁ ପଡ଼ିବ ୫ ହଜାର ଟଙ୍କାର ଜରିମାନା । ଆଉ ଯିଏ ଦେଖି ଅଭିଯୋଗ କରିବ, ତାଙ୍କୁ ଏକ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଏଭଳି ଏକ ସାଂଘାତିକ୍ ଅଭିଯାଗ ଆସିଛି ବଲାଙ୍ଗୀର ଜିଲ୍ଲା ମିଦ୍ଧାପାଲି ଗାଁରୁ ।

ସୂଚନା ଅନୁସାରେ, ଗତକାଲି ରାତିରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଯେଉଁଥିରେ ସରୋଜ ରାଉତଙ୍କ ପରିବାରକୁ ଗାଁରୁ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏମିତି କି ଗାଁରେ ଡେଣ୍ଡୁରା ବଜାଇ ଏହା ଘୋଷଣା କରାଯାଇଥିଲା । ଗାଁରେ ହୋଇଥିବା ସୁଲିଆ ଯାତ୍ରାରେ ସାଇକେଲ ଷ୍ଟାଣ୍ଡରେ ହୋଇଥିବା ଯୁକ୍ତିତର୍କକୁ ନେଇ ଏହି ବିବାଦର ସୂତ୍ରପାତ ହୋଇଥିଲା । ଷ୍ଟାଣ୍ଡରେ ଗାଡ଼ି ରଖିବା ବଦଳରେ ବାହାରେ କାହିଁକି ଗାଡ଼ି ରଖିଲେ ସରୋଜ ରାଉତ, ତାକୁ ନେଇ ଗାଁର କ୍ଲବ୍ ପିଲାଙ୍କ ସହ ବଚସା ହୋଇଥିଲା । ଏହା ପରେ ପରଦିନ ସକାଳୁ ଗାଁ ତୁଠରେ ବି ପିଲାଙ୍କ ମଧରେ ପାତିତୁଣ୍ଡ ହୋଇଥିଲା । ଏହି ବିବାଦ ପରେ ରାତିରେ ବସିଥିଲା କଙ୍ଗାରୁ କୋର୍ଟ । ଏହି ବିବାଦ ପାଇଁ ସରୋଜ ସାହୁଙ୍କୁ କ୍ଷମା ମାଗିବାକୁ ଗାଁ ଲୋକ ଦାବି କରିଥିଲେ ।

ମୁଣ୍ଡିଆ ମାରି କ୍ଷମା ନମାଗିଲେ କଥା ଆଗକୁ ବଢ଼ିବ ବୋଲି ଧମକ ଦିଆଯାଇଥିଲା । ଶେଷରେ ଗାଁରୁ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଏହି ଘଟଣାକୁ ଭିନ୍ନମତ ରଖିଛନ୍ତି ଅଭିଯୋଗକାରୀ । ତାଙ୍କ ଅଭିଯୋଗ ହେଲା, ରାଜନୈତିକ କାରଣ ଏବଂ ପୂର୍ବ ଶତ୍ରୁତା ଯୋଗୁଁ ଗାଁର ପିଙ୍କୁ ପଟେଲ, ଅରୁଣ ଦଳାଇ, ନିରଞ୍ଜନ ନାୟକ ଏବଂ ଅନ୍ୟମାନେ ଏହି କାଣ୍ଡ ଘଟାଇଥିଲେ । ଏହି ଘଟଣା ନେଇ ଥାନାରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଘଟଣାର ଗୁରୁତ୍ୱକୁ ଦେଖି ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ପୁଲିସ ।