ଛଦ୍ମ ଯୁଦ୍ଧରେ ମାହିର ପାକିସ୍ତାନ ଦେଖାଇଲା ଅସଲ ଚରିତ୍ର । କାଶ୍ମୀର ହତାଶା ପରେ ବାରମ୍ବାର ଯୁଦ୍ଧ ଧମକ, ଆଉ ଏବେ ସମୁଦ୍ର ପଥରେ କମାଣ୍ଡୋ ପଠାଇବାକୁ ଷଡଯନ୍ତ୍ର ।

945

କନକ ବ୍ୟୁରୋ : କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ, ଭାରତ ଉପରେ ବାରମ୍ବାର ଆକ୍ରମଣ ଧମକ ଦେଉଛି । ଏପରିକି ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ପାକିସ୍ତାନ ପଛାଇବ ନାହିଁ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏହାରି ଭିତରେ ଗୁଜରାଟର କଚ୍ଛ ଦେଇ ଭାରତ ଭିତରକୁ କିଛି ପାକିସ୍ତାନୀ କମାଣ୍ଡୋ ପଶିବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି । ଗୁଜରାଟ କୋଷ୍ଟଗାର୍ଡର ଗୁଇନ୍ଦା ବିଭାଗ ଏନେଇ ସୂଚନା ଦେବା ପରେ ଜୋରଦାର ହୋଇଛି ପାଟ୍ରୋଲିଂ ।

ପ୍ରକ୍ସି ୱାର ବା ଛଦ୍ମଯୁଦ୍ଧରେ ମାହିର ପାକିସ୍ତାନ ପୁଣିଥରେ ଦେଖାଇଛି ତାର ଅସଲ ଚରିତ୍ର । କାଶ୍ମୀର ହତାସାରେ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ବାରମ୍ବାର ଭାରତ ବିରୋଧରେ ଯୁଦ୍ଧ କରିବାକୁ ଧମକ ଦେଉଛନ୍ତି । ହେଲେ ବିଶ୍ୱରେ ଚତୁର୍ଥ ସର୍ବବୃହତ ସାମରିକ ଶକ୍ତି ରଖୁଥିବା ଭାରତ ବିରୋଧରେ ସମ୍ମୁଖ ଯୁଦ୍ଧରେ କେବେ ସଫଳ ହେବନାହିଁ ପାକିସ୍ତାନ । ଏକଥା ତାକୁ ଭଲଭାବେ ଜଣା । ତେଣୁ କାର୍ଗିଲରେ ଆତଙ୍କବାଦୀଙ୍କ ବେଶରେ ସେନା ପଠାଇ ଯୁଦ୍ଧର ସୂତ୍ରପାତ କରିଥିଲା ପଡୋଶୀ । ଏବେ ସେହି ଢଙ୍ଗରେ ଗୁଜରାଟର କଚ୍ଛ ଦେଇ ଭାରତ ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି ପାକିସ୍ତାନୀ କମାଣ୍ଡୋ । ଗୁଜରାଟ କୋଷ୍ଟଗାର୍ଡର ଗୁଇନ୍ଦା ବିଭାଗ ଏନେଇ ସୂଚନା ଦେବା ପରେ ଜୋରଦାର ହୋଇଛି ପାଟ୍ରୋଲିଂ ।

ଏହା ହେଉଛି ଫିଲ୍ମ ୨୬/୧୧ ମୁମ୍ବାଇ ଆଟାକର ଦୃଶ୍ୟ । ୨୦୦୮ରେ ସମୁଦ୍ର ପଥଦେଇ ଏହିଭଳି ଢଙ୍ଗରେ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ପ୍ରବେଶ କରିଥିଲେ କସାବ ସମେତ ଅନ୍ୟ ପାକିସ୍ତାନୀ ଆତଙ୍କବାଦୀ । ସମାନ ଢଙ୍ଗରେ ପାକିସ୍ତାନରେ ପ୍ରଶିକ୍ଷିତ କିଛି କମାଣ୍ଡୋ ଗୁଜରାଟରେ ପଶିବାକୁ ଉଦ୍ୟମ ଚଳାଇଛନ୍ତି । ଏଭଳି ସୂଚନା ପରେ ସମସ୍ତ ସରକାରୀ ଓ ଘରୋଇ ବନ୍ଦରଗୁଡିକରେ ଆଲର୍ଟ ଜାରି କରାଯାଇଛି । ଲେବଲ ୱାନ୍ ଆଲର୍ଟ ଜାରି କରିବା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ସୂଚନା ଦେବା ପାଇଁ କୁହାଯାଇଛି ।

ସମ୍ମୁଖ ଯୁଦ୍ଧରେ ଭାରତର ମୁକାବିଲା କରିବାକୁ ଅକ୍ଷମ ପାକିସ୍ତାନ ବାରମ୍ବାର ଏହିଭଳି ହୀନ ପ୍ରୟାସ କରିଆସିଛି । କିଛିଦିନ ତଳେ ପାକିସ୍ତାନ ରେଳବାଇ ମନ୍ତ୍ରୀ ସେଖ ରଶିଦ କହିଥିଲେ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର, ନଭେମ୍ବର ବେଳକୁ ଯୁଦ୍ଧ ହେବାକୁ ଯାଉଛି । ଅର୍ଥାତ କାଶ୍ମୀର ପ୍ରସଙ୍ଗରେ ସବୁ ଫୋରମରୁ ନିରାଶ ହେବା ପରେ ଦୁଇ ଦେଶ ଭିତରେ ଯୁଦ୍ଧ ପାଇଁ ଉସୁକାଉଛନ୍ତି ଇମ୍ରାନ ସରକାର ।

ପାକିସ୍ତାନ ମାଟିରୁ ବାରମ୍ବାର ଭାରତ ବିରୋଧୀ ଆତଙ୍କବାଦୀ ଆକ୍ରମଣ ଚଳାଇ ବିଶ୍ୱ ଦରବାରରେ ନିନ୍ଦିତ ହେଉଥିବା ପାକିସ୍ତାନର ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ମଧ୍ୟ ବୁଦ୍ଧି ଉଦୟ ହୋଇନାହିଁ । ଇମ୍ରାନ ଖାନଙ୍କ ଭୀରୁ ସରକାର ସମୁଖ ଯୁଦ୍ଧକୁ ଭୟ କରି ପୁଣିଥରେ ଆତଙ୍କବାଦର ରାସ୍ତା ଆପଣାଇଛନ୍ତି । ହେଲେ ଇସଲାମାବାଦର ସବୁପ୍ରକାର ପ୍ରୟାସକୁ ପଣ୍ଡ କରିବା ପାଇଁ ହାତରେ ଅସ୍ତ୍ର ଧରି ପ୍ରସ୍ତୁତ ଅଛନ୍ତି ଭାରତୀୟ ସୁରକ୍ଷା କର୍ମୀ ।