ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ମଧ୍ୟାହ୍ନ ଭୋଜନ ମନା । ପୂଜା ଦିନ ମଧ୍ୟାହ୍ନ ଭୋଜନ ବନ୍ଦ କରିବାକୁ ସମସ୍ତ ଡିଇଓଙ୍କୁ ଚିଠି ।

2,120

କନକ ବ୍ୟୁରୋ : ଆଗକୁ ଆସୁଛି ଗଣେଶ ପୂଜା । ରାଜ୍ୟର ବିଭିନ୍ନ ସ୍କୁଲରେ ବେଶ ଧୂମଧାମରେ ପାଳନ ହେବ ଗଣେଶ ପୂଜା । କିନ୍ତୁ ଚଳିତ ଥର ଗଣେଶ ପୂଜାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମିଳବନି ମଧ୍ୟାହ୍ନ ଭୋଜନ । ଏନେଇ ମିଡ୍ ଡେ ମିଲ୍ ନୋଡାଲ ଅଫିସର ରାଜ୍ୟର ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି । ଏଣିକି ସରସ୍ୱତୀ ପୂଜା କିମ୍ବା ଗଣେଶ ପୂଜାରେ ମଧ୍ୟାହ୍ନ ଭୋଜନ ବନ୍ଦ କରିବାକୁ ଚିଠି ଲେଖିଛନ୍ତି ନୋଡାଲ ଅଫିସର ଗଙ୍ଗାଧର ସାହୁ ।

ପ୍ରତିବର୍ଷ ସ୍କୁଲରେ ଛାତ୍ରଛାତ୍ରୀ ମାନେ ପାରମ୍ପରିକ ଭାବେ ଗଣେଶ ପୂଜା ଓ ସରସ୍ୱତୀ ପୂଜା ପାଳନ କରି ଆସୁଛନ୍ତି । କିନ୍ତୁ ଏହି ପୂଜା ଦିନ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଉଷୁନା ଚାଉଳର ଭାତ ଦିଆଯାଉଥିବା ନେଇ ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତି ନିଆଯାଇଛି । ପୂଜା ବିଧି ଅନୁଯାୟୀ, ଛାତ୍ରଛାତ୍ରୀ ମାନେ ଏହି ଦିନ ମାନଙ୍କରେ ଉଷୁନା ଚାଉଳର ଭାତ ଖାଇବାକୁ ଅମଙ୍ଗ ହେଉଛନ୍ତି ।

ତେଣୁ ଚଳିତ ବର୍ଷ ଠାରୁ ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ବାଧ୍ୟ ନ କରିବାକୁ ଅନୁରୋଧ କରିଛନ୍ତି ନୋଡାଲ ଅଫିସର । ଏପରିକି ଏହି ଦୁଇ ପୂଜା ଉତ୍ସବରେ ମଧ୍ୟାହ୍ନଭୋଜନ ବନ୍ଦ କରିବାକୁ ସମସ୍ତ ଡିଇଓଙ୍କୁ ଚିଠି ଲେଖି ଜଣାଇଛନ୍ତି ।