ବୀର ଯବାନଙ୍କ ବୀରାଙ୍ଗନା ପତ୍ନୀ । ସହିଦ ସ୍ୱାମୀଙ୍କ ଭଳି ବୀର ଯବାନ ସାଜି ରକ୍ତମୁଖା ଲାଲବାହିନୀ ସହ ଲଢିବାକୁ କଲେ ପଣ ।

1,178

କନକ ବ୍ୟୁରୋ : ଦେଶ ପାଇଁ ନିଜକୁ ବଳି ଦେଇ ଦେଲେ ଆଦିବାସୀ ଯୁବକ । ସାଥୀଙ୍କ ଜୀବନ ବଂଚେଇବାକୁ ଯାଇ ଛାତିରେ ୫ ରାଉଣ୍ଡ ଗୁଳି ଖାଇ ଶତ୍ରୁକୁ ଦମନ କଲେ । ମାଲକାନଗିରି କଦମଗୁଡା ଏନକାଉଂଟରରେ ବୀର ଯବାନ ଜୟ୍ରାମ ସହିଦ ହେବା ପରେ ମାଲକାନଗିରି ଏବେ ମ୍ରିୟମାଣ । ପରିବାର ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗି ପଡିଥିବା ବେଳେ ସହିଦଙ୍କୁ ଝୁରୁଛନ୍ତି ସହକର୍ମୀ ।

ଜୁଇରେ ଜଳୁଛି ଯବାନଙ୍କ ମରଶରୀର, ହେଲେ ନିଆଁ ଆଉ କେଉଁଠି ଲାଗିଛି । ଏମିତି ଜଣଙ୍କ ହୃଦୟରେ ଏହି ନିଆଁ ଲାଗିଛି, ଯିଏ ମାଓବାଦୀଙ୍କ ଆତଙ୍କର ସାମ୍ରାଜ୍ୟକୁ ଜାଳିପୋଡ଼ି ପାଉଁସ କରିଦେବାକୁ ପଣ କରିଛନ୍ତି । ଆମେ କହୁଛୁ ସହିଦ ଯବାନ ଜୟରାମଙ୍କ ପତ୍ନୀଙ୍କ କଥା । ଯିଏ ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସ୍ୱାମୀଙ୍କ ସ୍ଥାନରେ ଚାକିରୀ କରିବାକୁ ଅଂଟା ଭିଡିଛନ୍ତି । ସହିଦ ଯବାନଙ୍କ ସାହସୀ ସ୍ତ୍ରୀଙ୍କ ଏଭଳି କୋହ ଭରା ଦମ୍ଭୋକ୍ତି ସମସ୍ତଙ୍କ ଛାତିରେ ଛାତିଏ ଗର୍ବ ଭରିଦେଇଛି ।

ଜଙ୍ଗଲରେ ପଶି ରକ୍ତମୁଖା ମାଓବାଦୀଙ୍କୁ ମୁହଁତୋଡ ଜବାବ୍ ଦେବା ପାଇଁ ବି ପ୍ରସ୍ତୁତ ସହୀଦଙ୍କ ପତ୍ନୀ । ମାଲକାନଗିରି ସୋରିଷମାଳ ଗାଁରେ ପଂଚଭୂତରେ ଲୀନ ହୋଇସାରିଛି ଜୟରାମ କୱାସୀଙ୍କ ପାର୍ଥୀବ ଶରୀର । ଯିଏ ମାଓବାଦୀଙ୍କ ସହ ଲଢେଇ କରି ସହିଦ ହୋଇଛନ୍ତି ।

କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୁରା ଗାଁ । ପୁଅକୁ ହରାଇ ବାପା-ମାଆଙ୍କ ଆଖି ଲୁହରେ ଭିଜିଥିବା ବେଳେ ଦୁଇ ବର୍ଷର ଶିଶୁ କନ୍ୟାକୁ ଧରି ଦୃଢତାର ସହ ସହିଦ ସ୍ୱାମୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ବୀର ଯବାନଙ୍କ ବୀର ପତ୍ନୀ ଚମ୍ପା କୱାସୀ ।

ବୁଧବାର ସକାଳୁ ଖଇରପୁଟ କଦମଗୁଡା–ଡାବୁଗୁଡା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ମାଓବାଦୀ ଓ ଯବାନ । ପ୍ରାୟ ୨୫ ମିନିଟ୍ ଧରି ହୋଇଥିବା ଲଢେଇରେ ସାଥୀ ଯବାନଙ୍କ ଜୀବନ ରକ୍ଷା କରିବାକୁ ଯାଇ ମାଓବାଦୀଙ୍କ ଗୁଳିର ସାମ୍ନା କରିଥିଲେ ଜୟରାମ । ଛାତିରେ ଗୁଳି ସିନା ଖାଇଥିଲେ, କିନ୍ତୁ ଦୁର୍ଦ୍ଦାନ୍ତ ମାଓବାଦୀ ରାକେଶ ସୋଢୀକୁ ସାମ୍ନାସାମ୍ନି ନିପାତ କରିଥିଲେ ।

୨୦୧୦ରେ ଏସ.ପି.ଓ ଭାବେ ଯୋଗ ଦେବା ପରେ ୨୦୧୪ରେ ଓ.ଏ.ପି.ଏଫରେ ନିଯୁକ୍ତି ପାଇଥିଲେ ସହିଦ୍ ଜୟରାମ କୱାସୀ । ପରେ ସ୍ୱତନ୍ତ୍ର ତାଲିମ ନେଇ ଜଙ୍ଗଲ ଭିତରେ ମାଓବାଦୀଙ୍କ ସହ ମୁକାବିଲା କରିବା ପାଇଁ ସ୍ୱତଃପ୍ରୋତ ଭାବେ ଡି.ଭି.ଏଫ ବାହିନୀରେ ସାମିଲ ହୋଇଥିଲେ । ଆଉ ସେଇ ରକ୍ତମୁଖା ଲାଲବାହିନୀଙ୍କ ସହ ଲଢେଇ କରି ଚିରଦିନ ପାଇଁ ଅମର ହୋଇ ଗଲେ ଜୟରାମ ।