ରାଇପୁର ଷ୍ଟାଡିୟମରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ । ସନ୍ଧ୍ୟା ୭ଟାରେ ହେବାକୁ ଅଛି ଇଣ୍ଡିଆ- ଅଷ୍ଟ୍ରେଲିଆ ଟି-୨୦ ମ୍ୟାଚ୍

1,673

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଆଜି ରାଇପୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ । ହେଲେ ଆଜି ମ୍ୟାଚ ଖେଳାଯାଇପାରିବ କି ନାହିଁ ତାହାକୁ ନେଇ ସମସ୍ୟା ଦେଖାଦେଇଛି । ରାଇପୁର କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ବିଜୁଳି ବିଭାଗ ଷ୍ଟାଡିୟମରୁ ବିଜୁଳି ସଂଯୋଗ ବିଛିନ୍ନ କରିଛି । ଏହାର କାରଣ ଭାବେ ବିଜୁଳି ବିଲ ବକେୟା ବୋଲି କୁହାଯାଇଛି ।

ଛତିଶଗଡର ରାଜଧାନୀ ରାଇପୁରରେ ଥିବା ଏହି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ନାମ ରହିଛି ସହିଦ ନାରାୟଣ ସିଂ ଅର୍ନ୍ତରାଷ୍ଟ୍ରୀୟ କ୍ର୍ରିକେଟ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି । ହେଲେ ଆଜିର ମ୍ୟାଚ ଖେଳାଯିବା ପୂର୍ବରୁ ଏକ ବଡ ସମସ୍ୟା ଦେଖାଦେଇଛି । ଷ୍ଟାଡିୟମ ତରଫରୁ ଗତ ୫ ବର୍ଷ ହେବ ବିଜୁଳି ବିଲ୍ ପୈଠ କରାଯାଇନାହିଁ । ଯାହା ବୃଦ୍ଧି ପାଇ ଏବେ ୩.୧୬ କୋଟି ଟଙ୍କାରେ ପହଂଚିଛି ।

ଏହା ପ୍ରଥମଥର ନୁହେଁ ବରଂ ୫ ବର୍ଷ ତଳେ ମଧ୍ୟ ବକେୟା ବିଦ୍ୟୁତ୍ ବିଲକୁ ନେଇ ଷ୍ଟାଡିୟମରୁ ବିଜୁଳି ସଂଯୋଗ ବିଛିନ୍ନ କରାଯାଇଥିଲା । ଏହାପରେ ଛତିଶଗଡ ରାଜ୍ୟ କ୍ରିକେଟ ବୋର୍ଡର ଅନୁରୋଧ ପରେ ଅସ୍ଥାୟୀ ଭାବେ ବିଜୁଳି ସଂଯୋଗ କରାଯାଇଥିଲା । ହେଲେ ଏହା କେବଳ ଦର୍ଶକ ଓ ପାଭିଲିୟନକୁ କଭର କରୁଛି । ତେଣୁ ଆଜି ଯଦି ଖେଳ ହେବ ତେବେ ଫ୍ଲଡଲାଇଟ୍ ଓ ଜେନେରେଟର ଚଳାଇ ଆଲୋକିକରଣ କରାଯିବ ।