ଚାବ୍ରିପାଲି ଗାଁରେ ଅଭାବନୀୟ ଘଟଣା : ଜ୍ୱାଇଁକୁ ପିଟି ପିଟି ହତ୍ୟା ! ୩ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

103

କନକ ବ୍ୟୁରୋ : ପାଟଣାଗଡ଼ ଚାବ୍ରିପାଲି ଗାଁରେ ଅଭାବନୀୟ ଘଟଣା । ଜ୍ୱାଇଁକୁ ପିଟି ପିଟି ମାରିଦେଲେ ଶ୍ୱଶୁର ଘର ଲୋକ । ହତ୍ୟା ପରେ ଘଟଣାକୁ ଚପାଇବା ପାଇଁ ଶ୍ୱଶୁର ଘର ଲୋକ ମୃତଦେହକୁ ଏକ ଜରି ବସ୍ତାରେ ଭର୍ତ୍ତି କରି ଏକ ଭ୍ୟାନରେ କୌଣସି ଏକ ସ୍ଥାନକୁ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ହେଲେ ଏଥିରେ ସେମାନେ ବିଫଳ ହୋଇଛନ୍ତି ।

ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ଚାବ୍ରିପାଲି ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜଭାଟି ପଡ଼ାର ରୁଦ୍ର ମେହେର ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ ବିବାହ କରିଥିଲେ । ତାଙ୍କର ଦୀର୍ଘ ଦିନ ହେଲା ପାରିବାରିକ କଳହ ଲାଗି ରହିଥିଲା । ଗତ ବୁଧବାର ଦିନ ସ୍ତ୍ରୀ ସରୋଜିନୀ ମେହେର ଏକ ବିବାହ ଉତ୍ସବକୁ ଯାଇଥିଲେ ।

ଜ୍ୱାଇଁ ଓ ଶ୍ୱଶୁର ଘର ଲୋକଙ୍କ ଭିତରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା । ସେହି ସମୟରେ ହାତାହାତୀ ହୋଇ ଜ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଶ୍ୱଶୁର ଘର ଲୋକେ ଉକ୍ତ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି । ଏହି ଘଟଣାରେ ଉଦ୍ଧବ ମେହେର, ଅନିରୁଦ୍ଧ ମେହେର ଓ ସୁନିଲ ମେହେରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।