ନେତାଙ୍କ ନଜରରେ କଣ ଥିଲା ୨୦୧୭ର ବଡ ଖବର ? ବିଜେଡି କହିଲା ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ଥିଲା ସବୁଠୁ ଚର୍ଚ୍ଚାରେ

56

କନକ ବ୍ୟୁରୋ : ୨୦୧୭ର ହିସାବ-ନିକାସ୍ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବଶ୍ରେଷ୍ଠ ପ୍ରଶାସକ ଭାବେ ଆଉଟଲୁକ୍ ଦ୍ୱାରା ପୁରସ୍କୃତ ହେବା ଖବରକୁ ସବୁଠୁ ଭଲ ଖବର ଭାବେ ଗ୍ରହଣ କରିଛି ବିଜେଡି । ଯାହାକୁ ନେଇ ଏକ ବଡ ଧରଣର ପ୍ରଚାର ବି ଦଳ ପକ୍ଷରୁ କରାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି-ନବୀନଙ୍କ ପ୍ରଶାସନିକ ପରିଚାଳନାର ଏହା ସ୍ୱୀକୃତି । ହେଲେ ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ସରକାର ଏବଂ ପଡ଼ୋଶୀ ଛତିଶଗଡ଼ ସରକାର, ଓଡ଼଼ିଶାକୁ ଧୋକା ଦେଇଥିବା କହୁଛି ଦଳ । ଯେଉଁଥି ପାଇଁ ଏହାକୁ ସବୁଠୁ ମର୍ମାହତ କଲା ଭଳି ଖବର ବୋଲି କହିଛି ବିଜେଡି ।

ପଂଚାୟତ ନିର୍ବାଚନରେ ଓଡ଼ିଶାରେ ବିଜେପିର ଲୋକପ୍ରିୟତା ଏବଂ ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉଠିବା ଦଳକୁ ଉତ୍ସାହିତ କଲା ଭଳି ଖବର ବୋଲି ଗ୍ରହଣ କରିଛି ବିଜେପି । ରାଜ୍ୟରେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢ଼ିଥିବା ବିଜେପି ଦାବି କରୁଥିବା ବେଳେ ଚାଷୀ ଆତ୍ମହତ୍ୟାକୁ ସବୁଠୁ ଖରାପ ଖବର ବୋଲି ଗ୍ରହଣ କରିଛି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ବିଜେପି ଏହି ଖବରକୁ ଶୁଭଙ୍କର ନୁହେଁ ବୋଲି ଗ୍ରହଣ କରିଛନ୍ତି ।

ମୋଦି ସରକାର ଆଣିଥିବା ନୂଆ ଟିକସ ବ୍ୟବସ୍ଥା ଜିଏସଟି ଏବଂ ବିମୁଦ୍ରାକରଣକୁ ଦେଶ ଏବଂ ଦଳ ପାଇଁ ସବୁଠୁ ମର୍ମାହତ କଲା ଭଳି ଖବର ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି । ଭୁଲ ନୀତି ଯୋଗୁଁ ଦେଶର ଆର୍ଥିକମାନଦଣ୍ଡ ଦୋହଲି ଗଲା ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ପଂଚାୟତ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଥିଲେ ବି ପଂଚାୟତ ଫଳକୁ ଖୁସି ଖବର ଭାବେ ଗ୍ରହଣ କରିଛି କଂଗ୍ରେସ ।

ଆଉ ଏହି ସବୁ ହିସାବ୍ କିତାବ୍ ଭିତରେ ଆଗାମୀବର୍ଷକୁ ସ୍ୱାଗତ କରିବେ ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ।