ଦିନ ଦ୍ୱିପ୍ରହରରେ ଲୁଟ କଲେ, କାରରେ ଟଙ୍କା ନେଇ ଫେରାର ହେଲେ ! କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ

26

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ମାତିଲେ ଲୁଟେରା । ସମ୍ବଲପୁରରେ ଦିନ ଦ୍ୱିପହରରେ ଫାଇନାନ୍ସ କଂପାନୀରୁ ଲୁଟ୍ । ମୁହଁରେ କପଡା ବାନ୍ଧି ୫ ଜଣ ଯୁବକ ଲୁଟ କରୁଥିବାର ଦୃଶ୍ୟ ସିସିଟିଭି ଫୁଟେଜରେ ସାମ୍ନାକୁ ଆସିଛି । ଡକାୟତମାନେ କିପରି ଲୁଟ୍ ପରେ ଟଙ୍କା ଓ ସୁନାକୁ କାରରେ ଭର୍ତ୍ତି କରି ନେଉଛନ୍ତି, ତାର ଫଟୋ ଏବେ ସାମନାକୁ ଆସିଛି ।

ଆଜି ଦିନ ପ୍ରାୟ ତିନିଟା ବେଳେ ସମ୍ବଲପୁର ବୁଢାରାଜା ମାର୍କେଟ କମ୍ପେ୍ଲକସରେ ମୁଥୁହୁଟ ଫାଇନାନସ ଶାଖାରେ ବଡ଼ ଧରଣର ଡକାୟତି ହୋଇଛି । ୫ ଜଣ ଡକାୟତ, ବଂଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିବା ପରେ ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଲୁଟି ନେଇଛନ୍ତି । ଅଧ ଘଂଟା ଧରି ମୁଥୁହୁଟ ଫାଇନାନସ ଶାଖାରେ କଳାକନା ବୁଲାଇବା ପରେ ଟଙ୍କା ଓ ସୁନାକୁ ଏକ ମାରୁତି ଡିଜାୟାର କାରରେ ଭର୍ତି କରି ନେଇଯାଇଥିଲେ । କିଛି ଲୋକ ଡକାୟତଙ୍କ ଫଟୋ ଉଠାଇ ଥିଲେ ବି ଏହାର ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରିନଥିଲେ ।

ଘଟଣା ପରେ ସମ୍ବଲପୁର ପୁଲିସ ପହଁଛି ତନାଘନା ଆରମ୍ଭ କରିଛି । ସମ୍ବଲପୁର ବାହାରକୁ କିପରି ଡକାୟତ ଦଳ ଯାଇନପାରିବେ, ସେ ନେଇ ରାସ୍ତା ଅବରୋଧ କରି କଡ଼ା ଯାଂଚ କରାଯାଉଛି । ତେବେ କେତେ ପରିମାଣର ସୁନା ଓ ଟଙ୍କା ଲୁଟ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂୂଚନା ମିଳିନାହିଁ । ତେବେ ଲୁଟ ପରେ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏସପିଙ୍କ ନିର୍ଦ୍ଦେଶରେ ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ତଦନ୍ତ ପରେ ପ୍ରକୃତରେ କେତେ ମୂଲ୍ୟର ସୁନା ଓ ଟଙ୍କା ଚୋରି ହୋଇଛି ତାହା ଜଣା ପଡିବ । ତେବେ ଦିନ ଦ୍ୱିପ୍ରହରରେ ଏହି ଲୁଟ ହୋଇଥିବା ଯୋଗୁଁ କମ୍ପାନୀର କର୍ମଚାରୀଙ୍କ ଉପରେ ମଧ୍ୟ ସନ୍ଦେହ କରୁଛି ପୋଲିସ । ତେଣୁ ମୁ୍ଥୁହୁଟ ଫାଇନାନସ କର୍ମଚାରୀଙ୍କ ମୋବାଇଲ ଜବତ କରି କଲ୍୍ ବିବରଣୀ ଯାଂଚ କରୁଛି ପୁଲିସ ।