ପଂଚାୟତ ନିର୍ବାଚନ ଭୁଲକୁ ଦୋହରାଇବାକୁ ଚାହୁଁନି ବିଜେପି: ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ହେଭିୱେଟ

142

କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ବେଳେ କରିଥିବା ଭୁଲକୁ ପୌର ନିର୍ବାଚନରେ ଦୋହରାଇବାକୁ ସାହସ କରୁ ନାହିଁ ବିଜେପି । ମେୟର ପ୍ରଚାର ମୈଦାନକୁ ହେଭିୱେଟମାନଙ୍କୁ ଓହ୍ଲାଇଛି ଦଳ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ।

ରାଜ୍ୟ ବିଜେପି ଓ ଅପରାଜିତାଙ୍କ ମଧ୍ୟରେ ମତାନ୍ତର ଏବଂ ଭୋଟ୍ ପାଇଁ କିଏ କାହା ପାଖରେ ଠିଆ ହୋଇଛି, କିଏ କାହାକୁ ସମର୍ଥନ ଦେଉଛି ଏହାର ଚର୍ଚ୍ଚା ଭିତରେ ରାଜ୍ୟ ବିଜେପି ସବୁକିଛି ଠିକ୍ ଅଛି ବୋଲି ବାର୍ତା ଦେବାକୁ ଚେଷ୍ଟା କରିଛି । ଦଳ ସଭାପତିଙ୍କ ଠାରୁ ଆରମ୍ଭ କରି, କେନ୍ଦ୍ରମନ୍ତ୍ରୀଙ୍କ ଯାଏଁ ମେୟର ପ୍ରାର୍ଥିଙ୍କ ପାଇଁ ଏକାଠି ହୋଇ ଭୋଟ୍ ମାଗିଛନ୍ତି । ସାଂସଦଙ୍କ ପ୍ରତିନିଧିଙ୍କ ଏକ ଫେସବୁକ ପୋଷ୍ଟକୁ ନେଇ ବଢିଥିବା ବିବାଦକୁ ଅନ୍ତ କରିବାକୁ ସବୁ ପକ୍ଷ ମଧ୍ୟରେ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି । କେନ୍ଦ୍ରମନ୍ତ୍ରୀ ସକାଳୁ ସକାଳୁ ଚନ୍ଦ୍ରଶେଖରପୁର ଅଂଚଳରେ ବୁଧ ପାର୍କରେ ଲୋକମାନଙ୍କୁ ଭେଟି ବିଜେପି ମେୟର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସେପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଭୁବନେଶ୍ୱର ଜିଲ୍ଳା ସଭାପତି ବାବୁ ସିଂ ମେୟର ପ୍ରାର୍ଥୀ ସୁନୀତା ମୁଣ୍ଡୁଙ୍କ ପାଇଁ ଭିଏସଏସ ନଗରରେ ପ୍ରଚାର କରିଛନ୍ତି ।

ପଂଚାୟତ ନିର୍ବାଚନରେ ଅଭୂତପୂର୍ବ ସଫଳତା ପାଇଥିଲେ ବି ପୌର ନିର୍ବାଚନକୁ ହାଲୁକା ଭାବେ ନେଇ ନାହିଁ ଶାସକ ବିଜେଡି । ବରଂ ଅଧିକ ଉତ୍ସାହର ସହ ପ୍ରଚାର ଚଳାଇଛି । ଭୁବନେଶ୍ୱର ମେୟର ପଦବୀ ଏଥର ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ ହାତେଇବାକୁ ଦିନରାତି ଏକ କରିଦେଇଛି ବିଜେଡି ।

ସକାଳୁ ପାର୍କରେ ଲୋକଙ୍କ ସହ କଥା ହେବା ଠାରୁ ଆରମ୍ଭ କରି ବାଇକ ରାଲି ପର୍ଯ୍ୟନ୍ତ ସବୁ ପ୍ରକାର ଉପାୟ ଆପଣେଇ ଭୋଟରଙ୍କ ପାଖରେ ପହଂଚୁଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ଖଣ୍ଡଗିରି ଅଂଚଳରେ ସୁଲୋଚନାଙ୍କ ପାଇଁ ଭୋଟ ମାଗିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରଶନ୍ନ ପାଟ୍ଟଶାଣୀ, ମୁନା ଖାଁ ।