ଶସ୍ତା ତେଲକୁ ନେଇ ଦ୍ୱନ୍ଦ୍ୱରେ ଭାରତ: ରିହାତି ଦରରେ ତେଲ ବିକିବାକୁ ଋଷିଆର ପ୍ରସ୍ତାବ ପରେ ବଢିଲା ଦ୍ୱନ୍ଦ୍ୱ

497

କନକ ବ୍ୟୁରୋ: ଗୋଟିଏ ପଟେ ଅଶୋଧିତ ତେଲର ଅହେତୁକ ଦରବୃଦ୍ଧି, ଅନ୍ୟପଟେ ଭାରତକୁ ରିହାତି ଦର ତେଲ ବିକିବାକୁ ରୁଷିଆର ପ୍ରସ୍ତାବ । ଏହାକୁ ନେଇ ଦ୍ୱ୍ଦ୍ୱରେ ପଡିଛି ଭାରତ । ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି ଆମେରିକା ସମେତ ପାଶ୍ଚାତ୍ୟ ଦେଶ । କ୍ରୁଡ୍ ଅଏଲ ଠାରୁ ଆରମ୍ଭ କରି ରୁଷ ସହ ସମସ୍ତ କାରବାର ଉପରେ ପ୍ରତିବନ୍ଧ ଲଗାଇଛି ହ୍ୱାଇଟ୍ ହାଉସ୍ । ଫଳରେ ଭୟଙ୍କର ଆର୍ଥିକ ସଂକଟ ଆଡକୁ ମୁହାଁଇଛି ମସ୍କୋ ।

ବନ୍ଧୁ ରାଷ୍ଟ୍ର ଭାରତଠାରୁ ଅନେକ କିଛି ଆଶା କରୁଛି ରୁଷ୍ । ଏପରିକି ରୁଷର ତୈଳ କଂପାନୀ ଭାରତକୁ ଡିସ୍କାଉଂଟ ରେଟ୍ରେ ତେଲ ବିକିବାକୁ ପ୍ରସ୍ତାବ ଦେଇଛି । ଏ ନେଇ ଦୁଇ ଦେଶ ମଧ୍ୟରେ ମନ୍ତ୍ରୀସ୍ତରୀୟ ଆଲୋଚନା ମଧ୍ୟ ହୋଇଛି । ଖୁବଶୀଘ୍ର ରୁଷ ଠାରୁ ୩୦ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଭାରତ କିଣିବାକୁ ଯାଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ରୁଷ୍ ଠାରୁ ଭାରତ ତେଲ କିଣିବା ନେଇ କିଛି ଆଇନଗତ ସମସ୍ୟା ନାହିଁ । ଆମେରିକାର କଟକଣା ମଧ୍ୟ ଏଥିରେ ପ୍ରତିବନ୍ଧ ସୃଷ୍ଟି କରିବ ନାହିଁ । ତେବେ ୟ୍ରୁକ୍ରେନ୍-ରୁଷିଆ ଯୁଦ୍ଧରେ ଭାରତ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛି, ସେଥିରେ ଆମେରିକା ସନ୍ତୁଷ୍ଟ ନାହିଁ । ଆମେରିକା କହିଛି, ରୁଷ ଠାରୁ ଭାରତ ତେଲ କିଣିଲେ କଟକଣା ନିୟମର ଉଲ୍ଲଙ୍ଘନ ହେବନାହିଁ । ହେଲେ ଏଥିରେ ଇତିହାସରେ ଭାରତ ଏକ ଖରାପ ଛବି ସୃଷ୍ଟି କରିବ ।

ୟୁକ୍ରେନ-ରୁଷିଆ ଯୁଦ୍ଧ ଭିତରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଆକାଶଛୁଆଁ ହୋଇଛି । ଏଭଳି ସମୟରେ ଭାରତକୁ ରିହାତି ମୂଲ୍ୟରେ ତେଲ ବିକିବାକୁ ପ୍ରସ୍ତାବ ଦେଇଛି ରୁଷିଆ ।
ରୁଷଠାରୁ ତେଲ କିଣିଲେ କ’ଣ ହେବ ଲାଭ?

– ମହଙ୍ଗା ଅଶୋଧିତ ତେଲ ଦର ବୋଝରୁ ଆଶ୍ୱସ୍ତି ମିଳିବ ।
– ଡଲାର ବଦଳରେ ଭାରତୀୟ ଟଙ୍କା ଏବଂ ରୁଷ ରୁବେଲ ଜରିଆରେ କାରବାର ହେବ
– ଫଳରେ ଭାରତୀୟ ମୁଦ୍ରାର ମୂଲ୍ୟ ବଢିଯିବ
– ଶସ୍ତାରେ ଅଶୋଧିତ ତେଲ କିଣିଲେ ଦେଶରେ ପେଟ୍ରୋଲ, ଡିଜେଲ ଦର ନିୟନ୍ତ୍ରଣରେ ରହିବ

ଏସ୍-୪୦୦ ଡିଲ୍, ପାକିସ୍ତାନରେ ଭାରତର ମିଜାଇଲ୍ ପଡ଼ିବା ଏବଂ ରୁଷରୁ ତେଲ କିଣିବା ପ୍ରସଙ୍ଗ, ଏହି ତିନିଟି ଘଟଣାରେ ଆମେରିକା ଭାରତ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି । ଯଦିଓ ୟୁକ୍ରେନ ବିବାଦରେ ଭାରତ ଆମେରିକାର ରଣନୀତି ବିରୋଧରେ ଯାଉଛି । ବିଶେଷଜ୍ଞ କହିବା ଅନୁସାରେ ଚୀନ-ରୁଷିଆ ଓ ଭାରତ କୌଣସି ପରିସ୍ଥିତିରେ ଏକାଠି ହେବାକୁ ଚାହୁଁନାହିଁ ଆମେରିକା ।