ଆଜି ହନୁମାନ ଜୟନ୍ତୀ : ପୁଲିସ ଛାଉଣିରେ ପୁରା ସମ୍ବଲପୁର; ପ୍ରଶାସନ କହିଲା, ୧୪୪ ଧାରା ସତ୍ତ୍ୱେ ହେବ ଶୋଭାଯାତ୍ରା

1,977

କନକ ବ୍ୟୁରୋ : ଆଜି ହନୁମାନ ଜୟନ୍ତୀ । ସୁରକ୍ଷା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସମ୍ବଲପୁରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲାଗିଛି ୧୪୪ ଧାରା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗତକାଲି ଦିନ ୧୦ଟାରୁ ୪୮ ଘଂଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସଂଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ, ଏସପି ଓ ଆଇଜିଙ୍କ ଉପସ୍ଥିତିରେ ଫ୍ଲାଗମାର୍ଚ୍ଚ କରିଛି ପୁଲିସ ।

ହନୁମାନ ଜୟନ୍ତୀ ଉପଲକ୍ଷେ ବୁଧବାର ସମ୍ବଲପୁର ଧନୁପାଲି ଛକରୁ ବାହାରିଥିବା ବାଇକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ । ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକ । ଦୋକାନ, କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଥିଲା ପୁଲିସ । ଲୋକଙ୍କ ପଥରମାଡରେ ୧୦ ପୁଲିସ କର୍ମଚାରୀଙ୍କ ସମେତ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୪୨ ଜଣଙ୍କୁ ଅଟକ ରଖିଛି ପୁଲିସ । ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତେବେ ଆଜି ୧୪୪ ଧାରା ସତ୍ୱେ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ସମ୍ବଲପୁରବାସୀଙ୍କୁ ଅନୁରୋଧ କରିବା ସହ ପରିସ୍ଥିତି ପାଇଁ ପ୍ରଶାସନିକ ଅପରାଗତାକୁ ଦାୟୀ କରିଛନ୍ତି । ଅନ୍ୟପଟେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାକୁ ପଛାଉ ନାହିଁ ବିଜେପି ।

ସମ୍ବଲପୁରର ପରିସ୍ଥିତି ଉପରେ ସତର୍କ ନଜର ରଖିଛି ପୁଲିସ । ରାଉରକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ଏପଟେ ଜୟପୁରରେ ଆଜିଠାରୁ ୧୪୪ ଧାରା ଜାରି କରିଛନ୍ତି ଜୟପୁର ଉପ-ଜିଲ୍ଲାପାଳ । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୩ଟାରୁ ସକାଳ ୯ଟା ଯାଏଁ ୧୪୪ ଧାରା ଜାରି ରହିବ । ଏହି ସମୟରେ ୨ ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି ।