୨ୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବେ ଭୁପେନ୍ଦ୍ର ଭାଇ ପଟେଲ । ଡିସେମ୍ବର ୧୨ରେ ହେବ ଶପଥ ପାଠ ଉତ୍ସବ

113

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପି ଏବେ ସରକାର ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଶନିବାର ଦଳର ନବ ନିର୍ବାଚିତ ୧୫୬ଜଣ ବିଧାୟକଙ୍କ ସର୍ବସମ୍ମତିକ୍ରମେ ଭୁପେନ୍ଦ୍ର ଭାଇ ପଟେଲ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଶନିବାର ବିଧାୟକ ଦଳ ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ବିଏସ ୟେଦିରୁପ୍ପା ଓ ଅର୍ଜୁନ ମୁଣ୍ଡା ଉପସ୍ଥିତ ଥିଲେ । ୧୨ ତାରିଖରେ ଗୁଜରାଟ ଗାନ୍ଧୀନଗରରେ ଶପଥ ପାଠ ଉତ୍ସବର ଆୟୋଜନ କରାଯିବ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେବେ ।

ନିର୍ବାଚନରେ ବିଜେପି ରେକର୍ଡସ୍ତରରେ ବିଜୟ ହାସଲ କରିଛି । ଗୁରୁବାର ଫଳାଫଳ ଆସିବା ପରେ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ଭୁପେନ୍ଦ୍ର ପଟେଲ ଇସ୍ତଫା ଦେଇଥିଲେ । ୨୦୨୧ ମସିହା ସେପ୍ଟେମ୍ବର ମାସରେ ଦଳ ବିଜୟ ରୂପାଣୀଙ୍କୁ ରାତାରାତି ହଟାଇ ଭୁପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା । ନିର୍ବାଚନର ଠିକ ଗୋଟେ ବର୍ଷ ପୂର୍ବରୁ ଦଳର ଏହି ଫମୂଲା ନିର୍ବାଚନ ବିଜୟରେ ବଡ ଭୂମିକା ତୁଳାଇଛି । ଏଥର ନିର୍ବାଚନରେ ବିଜେପି ଭଳି ଭୁପେନ୍ଦ୍ର ପଟେଲ ମଧ୍ୟ ଐତିହାସିକ ବିଜୟ ହାସଲ କରିଥିଲେ । କ୍ରମାଗତ ୨ୟ ଥର ପାଇଁ ଘାତଲୋଡିଆ ଅ।।ସନରୁ ସେ ବିଜୟୀ ହୋଇଛନ୍ତି । ଏହି ଆସନରେ କଂଗ୍ରେସର ପ୍ରାର୍ଥୀ ଆମୀ ୟାଜ୍ଞନିକଙ୍କୁ ୧ଲକ୍ଷ ୮୯ ହଜାର ୭୬୫ଭୋଟରେ ପଟେଲ ପରାସ୍ତ କରି ସେ ରେକର୍ଡ କରିଛନ୍ତି ।