ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ଦେଲା ଜେଡିୟୁ : କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କ ଟିକେଟ୍ କାଟିଲେ ନୀତିଶ କୁମାର

478

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ଦେଲା ସହଯୋଗୀ ଦଳ ଜେଡିୟୁ । ରାଜ୍ୟସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କ ଟିକେଟ୍ କାଟିଦେଇଛନ୍ତି ନୀତିଶ କୁମାର । କାରଣ ଆରସିପି ସିଂହଙ୍କ ବିଜେପି ସହ ଘନିଷ୍ଠ ସମ୍ପର୍କ ଥିଲା । ଜେଡିୟୁ ଆରଜେଡି ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ଜେଡିୟୁ ମଧ୍ୟରେ ବିବାଦ ଦେଖାଦେଇଥିଲା । ଆଉ ଅସନ୍ତୁଷ୍ଟ ଗୋଷ୍ଠୀର ନେତୃତ୍ୱ ନେଇଥିଲେ ଆରସିପି । ତେଣୁ ତାଙ୍କୁ ଜେଡିୟୁ ହଟାଇ ଦେଇଥିବା ଆଲୋଚନା ହେଉଛି ।

ବିଜେପି ଏବଂ ଜେଡିୟୁ ମଧ୍ୟରେ ବୁଝାମଣା ଠିକ୍ ନ ଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏବେ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ୍ କାଟି ଜେଡିୟୁ କଡା ବାର୍ତ୍ତା ଦେଇଛି । ଜେଡିୟୁ ତାଙ୍କ ସ୍ଥାନରେ ରାଜୀବ ରଞ୍ଜନ ସିଂହଙ୍କୁ ପ୍ରାର୍ଥୀ କରିଛି । ଏପଟେ ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସେଥିରେ କର୍ଣ୍ଣାଟକରୁ ନିର୍ମଳା ସିତାରମଣ, ମହାରାଷ୍ଟ୍ରରୁ ପିୟୁସ୍ ଗୋଏଲଙ୍କୁ ରାଜ୍ୟସଭା ପଠାଇଛି ବିଜେପି । କିନ୍ତୁ ଏହି ତାଲିକାରେ ମୁକ୍ତାର ଅବାସ ନକବୀଙ୍କ ନାମ ନାହିଁ । ସୂଚନାଯେ ଜୁନ୍ ୧୦ ତାରିଖରେ ୧୫ ଟି ରାଜ୍ୟର ୫୭ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ ।