ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ : ୨୭୯ ବୁଥରେ ହେବ ମତଦାନ, ସେଥିରୁ ୬୦ଟି ସମ୍ବେଦନଶୀଳ ଚିହ୍ନଟ, ହୋଇପାରେ ତ୍ରିମୁଖୀ ଲଢ଼େଇ

82

କନକ ବ୍ୟୁରୋ : ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ । ଗତକାଲି ପ୍ରଚାର ଶେଷ ହୋଇଛି । ଭୋଟରକୁ ନିଜ ପଟକୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା ପୁରା ପ୍ରୟାସ କରିଛନ୍ତି । ଭୋଟ ପାଇଁ ସବୁପ୍ରକାରର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏ ବାବଦରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି, ଉପ-ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିରେ ୩୧୪ ଜଣ ଲେଖାଁଏ ପ୍ରିଜାଇଡିଂ ଅଫିସର, ପ୍ରଥମ ପୋଲିଂ ଅଫିସର, ଦ୍ୱିତୀୟ ପୋଲିଂ ଅଫିସର ଓ ତୃତୀୟ ପୋଲିଂ ଅଫିସର ଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଜୟ ଜେନା କହିଛନ୍ତି। ସେହିଭଳି ଭୋଟ୍‌ ଗ୍ରହଣ କେନ୍ଦ୍ର ପାଇଁ ଏକ ହଜାର ପୁଲିସ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ୨୭୯ ଭୋଟ ‌ଗ୍ରହଣକେନ୍ଦ୍ର ମଧ୍ୟରୁ ୬୦ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବରେ ଚିହ୍ନଟ କରାଯାଇଛି ।

୩୦ଟି ବୁଥ୍‌କୁ ମଡେଲ ବୁଥ୍‌ ଓ ୫ଟି ବୁଥ୍‌କୁ ପିଙ୍କ ବୁଥ୍‌ କରାଯାଇଛି । ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି ଯେ ନିର୍ବାଚନ କମିସନଙ୍କ ଦ୍ବାରା ପ୍ରଦତ୍ତ ଆଚରଣବିଧିକୁ ପାଳନ କରିବା ପାଇଁ ସବୁ ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି । ୧୪୫ଟି ବୁଥରେ ୱେବ୍‌ କାଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି । ୩୧ ତାରିଖ ସକାଳ ୭ ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହେବା ପାଇଁ ବ୍ୟବସ୍ଥା କରାଯାଇଛି ।