ବଡବଡିଆଙ୍କ ସହ ଫଟୋ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ: ପଦାକୁ ଆସିଲା ପୂଜକଙ୍କ କଳା କାରାନାମା

90

କନକ ବ୍ୟୁରୋ: ଫଟୋ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ । ପୁଣି ଏଡିଟେଡ୍ ଫଟୋ । ମୁଣ୍ଡର ଚନ୍ଦନ ଚିତା ଟାଣି ଫଟୋରେ ଥିବା ପୂଜକଙ୍କ କଳା କାରନାମା ଏବେ ପଦାକୁ ଆସୁଛି । ଏହି ଠକ ପୂଜକ ଜଣଙ୍କ ହେଉଛନ୍ତି, କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢୋଲ ଅଂଚଳର ବାସୁଦେବ ପଣ୍ଡା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ, ଶିଳ୍ପପତି, ଖେଳାଳି ଓ ଅଭିନେତାଙ୍କ ସହ ସଂପର୍କ ଥିବା କହି ଲୋକଙ୍କ ବିଶ୍ୱସ ଜିତୁଥିଲା ଏହି ଠକ ଜଣଙ୍କ । ନିଜ ଫଟୋକୁ ସେମାନଙ୍କ ଫଟୋ ସହ ଏଡିଟିଂ କରି ଦେଖାଉଥିଲା ।

ପରେ କାହାକୁ ସୈନ ବିଭାଗରେ ଚାକିରି କରାଇ ଦେବାକୁ କହି ତ ଆଉ କାହାକୁ ଚିକିତ୍ସା ପାଇଁ ଭଲ ମେଡିକାଲରେ ବ୍ୟବସ୍ଥା କରାଇ ଦେବାକୁ କହି ଲକ୍ଷଲକ୍ଷ ଟଙ୍କା ଠକି ନେଇଛି ଏହି ଠକ ପୂଜକ ବାସୁଦେବ ପଣ୍ଡା । ଢୋଲ ଗାଁର ରବୀନ୍ଦ୍ର ସାହୁଙ୍କ ପୁଅକୁ ଆର୍ମିରେ ଚାକିରି କରାଇ ଦେବାକୁ କହି ରବୀନ୍ଦ୍ରଙ୍କ ଠାରୁ ବାସୁଦେବ ୧୪ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ସେହିଭଳି ଅନେକ ଅଭିଯୋଗ ଅଛି ଏହି ଠକ ବିରୋଧରେ । ଠକେଇର ଶିକାର ହୋଇଥିବା ଲୋକମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଯୋଗକାରୀ ।