ଏମିତି ହେଉଛି ଓଡ଼ିଆ ବିଶ୍ୱବିଦ୍ୟାଳୟ: ଶିଳାନ୍ୟାସର ୪ ବର୍ଷ ପରେ କେବଳ ହୋଇଛି ପାଚେରୀ

170

କନକ ବ୍ୟୁରୋ: ଚାରି ବର୍ଷ ତଳେ ଓଡ଼ିଆ ଭାଷାର ପ୍ରସାର ଓ ଗବେଷଣା ପାଇଁ ପୁରୀ ସାକ୍ଷୀଗୋପାଳରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ୬୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟ କାମ ଏପର୍ଯ୍ୟନ୍ତ ବିଶେଷ ଅଗ୍ରଗତି କରିନାହିଁ । ଯାହାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ପୁରୀ ସାକ୍ଷୀଗୋପାଳରେ ହେବାକୁ ଥିବା ଓଡିଆ ବିଶ୍ୱବିଦ୍ୟାଳୟର ଦୁଇଟି ଦୃଶ୍ୟ । ପ୍ରଥମ ଦୃଶ୍ୟଟି ହେଉଛି ଚାରି ବର୍ଷ ତଳର, ଯେତେବେଳେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ସ୍ୱପ୍ନ ଥିଲା ଏଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ । ତିଆରି ହେବ ଭବ୍ୟ ଭବନ, ହଷ୍ଟେଲ, ଲାଇବ୍ରେରୀ ଓ ଅନ୍ୟ କେତେକ ଆନୁଷଙ୍ଗିକ ଭିତ୍ତିଭୂମି ।.. ଆଉ ଦ୍ୱିତୀୟ ଦୃଶ୍ୟରେ ରହିଛି, ଚାରି ବର୍ଷ ପରର ଅର୍ଥାତ ଆଜିର ଦୃଶ୍ୟ । ଚାରିବର୍ଷ ପରେ, ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଏତିକି ବାଟ ଆଗେଇଛି ।

୧୯୦୯ରେ ସାକ୍ଷୀଗୋପାଳରେ ପଂଚଶାଖାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଖ୍ୟାତ ବକୁଳ ବନ ବିଦ୍ୟାଳୟ ନିକଟରେ, ୨୫ ଏକର ଜାଗାରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୬୨ କୋଟି ଟଙ୍କା । ପୂର୍ତ ବିଭାଗ ଏହି କାମକୁ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନ୍ (ଓବିସିିସି)କୁ ଦିଆଯାଇଥିଲା । ଏଥିପାଇଁ ଓବିସିସିକୁ ୧୩ କୋଟି ଟଙ୍କା ବି ଦିଆଯାଇଛି । ହେଲେ ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ତାହା ଆପଣଙ୍କ ସମ୍ମୁଖରେ । ତେବେ, ଜମି ଅଧିଗ୍ରହଣ ସମସ୍ୟା ପାଇଁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଥିବା ଦାୟୀତ୍ୱରେ ଥିବା ଅଧିକାରୀ କହିଛନ୍ତି ।

ଭାଷା ଭିତିରେ ରାଜ୍ୟ ଗଠନ ହେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । କିନ୍ତୁ ସେହି ଭାଷାର ପ୍ରସାର ଓ ଗବେଷଣା ପାଇଁ ପ୍ରତିଷ୍ଠା ହେବାକୁ ଥିବା ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ ଏବେ ପ୍ରଶ୍ନ ଉଠିଛି ।