ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୧୯ ଦିନ । ୟୁକ୍ରେନର ବିଭିନ୍ନ ସହର ଉପରେ ଘମାଘୋଟ ଆକ୍ରମଣ । ସେପଟେ ଡାକ୍ତରଖାନରେ ପହଁଚି ଆହତ ସୈନ୍ୟଙ୍କୁ ଭେଟିଲେ ଜେଲେନସ୍କି 

162

କନକ ବ୍ୟୁରୋ: ୟୁକ୍ରେନର ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ରୁଷ ପକ୍ଷରୁ ଆକ୍ରମଣ କରାଯାଉଛି । ରୁଷର ଯୁଦ୍ଧ ଟ୍ୟାଙ୍କକୁ ମଧ୍ୟ ୟୁକ୍ରେନ୍ ନଷ୍ଟ କରୁଥିବା ଦାବି କରୁଛି । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କିଭର ଏକ ହସ୍ପିଟାଲ ଗସ୍ତ କରିଛନ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ସୈନିକଙ୍କ ସହ ଆଲୋଚନା କରିଛନ୍ତି । ଆହତ ସୈନିକଙ୍କ ମନୋବଳ ବଢାଇଛନ୍ତିି ଜେଲେନସ୍କି । କିଛି ସମୟ ହସ୍ପିଟାଲରେ ରହି ସେ ଆହତ ସୈନିକଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ସହ ସେଲଫି ନେଇଥିଲେ । ଏହାସହ ଆହତ ସୈନିକଙ୍କୁ ସମ୍ମାନିତ କରିଛନ୍ତି । ୟୁକ୍ରେନ୍ ଯୁଦ୍ଧ ଜିତିଲେ ତାହା ସେମାନଙ୍କ ପାଇଁ ସବୁଠୁ ବଡ଼ ଉପହାର ହେବ ବୋଲି କହିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ।

ଅନ୍ୟପଟେ ରୁଷ-ୟୁକ୍ରେନ୍ ଯୁଦ୍ଧ ଆଜି ୧୯ ଦିନରେ ପହଞ୍ଚିଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ରୁଷ ପକ୍ଷରୁ ଆକ୍ରମଣ କରାଯାଉଛି । କିଭରେ ଥିବା ଏଣ୍ଟୋନୋଭ ଏୟାରକ୍ରାପ୍ଟ ପ୍ଲାଣ୍ଟ ଉପରେ ପୁଟିନ ସେନା ଗୋଳାବାରୁଦ ମାଡ କରୁଥିବା ଜଣାପଡିଛି । ରୁଷର ଯୁଦ୍ଧ ଟ୍ୟାଙ୍କକୁ ମଧ୍ୟ ୟୁକ୍ରେନ୍ ନଷ୍ଟ କରୁଥିବା ଦାବି କରୁଛି ।

ତେବେ କିଭ ଦଖଲ ପାଇଁ ନିର୍ଣ୍ଣାୟକ ଲଢେଇ କରୁଛି ରୁଷିଆ ସେନା । କିଭକୁ ତିନି ପଟୁ ଘେରି ସାରିଲାଣି ରୁଷ ସେନା । ଉତ୍ତରରୁ ଇରପିନ୍ ପଟୁ ଘେରିଛି, ପଶ୍ଚିମରେ ବୁଚାରେ ରୁଷ ସେନା ମୁତୟନ ହୋଇ ସାରିଲେଣି । ପୂର୍ବ ପଟୁ ବ୍ରୋବରୀରେ ରୁଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ଯେକୌଣସି ପ୍ରକାରେ କିଭକୁ କବଜା କରିବାକୁ ଯୋଜନା ଚଳାଇଛି ରୁଷ ।

ଏହାରି ଭିତରେ ନାଟୋ ଦେଶ ପୋଲାଣ୍ଡ ଠାରୁ ୧୧ ମାଇଲ ଦୂର ପଶ୍ଚିମ ୟୁକ୍ରେନର ଏକ ସହରରେ ରୁଷିଆ ବୋମାମାଡରେ ୩୫ ଜଣଙ୍କ ମୃତ୍ୟୁ ହେବା ପରେ ଯୁଦ୍ଧ ଆହୁରି ବ୍ୟାପକ ହେବା ଆଶଙ୍କାକୁ ବଢାଇ ଦେଇଛି । କାରଣ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଧମକ ଦେଇଛନ୍ତି ନାଟୋ ଦେଶ ଗୁଡିକ ଉପରେ ଯେକୌଣସି ଆକ୍ରମଣର ମିଳିତ ଜବାବ ଦିଆଯିବ । ଏଥିପାଇଁ ବିଶ୍ୱଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ମଧ୍ୟ ଏପରି ଆକ୍ରମଣକୁ ବର୍ଦାସ୍ତ କରାଯିବ ନାହିଁ ।

ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ପରାମର୍ଶଦାତା ମିଖାଇଲୋ ପୋଡୋଲିଆକ କହିଛନ୍ତି ଯେ, ଆଲୋଚନା ପାଇଁ ତାଙ୍କ ପକ୍ଷ ଆଗ୍ରହୀ  । ହେଲେ ବୈଠକରେ ରୁଷ୍ ପାଖରେ ନିଜ ଦାବି ସମ୍ପୂର୍ଣ୍ଣ ରୂପେ ଛାଡ଼ି ଦେବାର ପ୍ରଶ୍ନ ଉଠୁ ନାହିଁ  । ଆଗାମୀ କିଛି ଦିନରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନାର ସଫଳତା ମିଳିବାର ସମ୍ଭାବନା ରହିଛି  ।

ରୁଷ୍ ଓ ୟୁକ୍ରେନ ମଧ୍ୟରେ ମୋଟ୍ ୩ଟି ବୈଠକ ବସି ସାରିଛି । ଦୁଇଟି ବୈଠକ ବେଲାରୁଷ୍ ସୀମାରେ ହୋଇଥିବା ବେଳେ ଅନ୍ୟଟି ତୁର୍କୀରେ ବସିଥିଲା  ଆଗାମୀ ବୈଠକ ଜେରୁଜେଲମେର ବସିପାରେ । ବୈଠରେ ଯୁଦ୍ଧ ବିରାମ ଉପରେ ମୁଖ୍ୟତ ଚର୍ଚ୍ଚା କରିପାରନ୍ତି ଦୁଇ ଦେଶ । ତେବେ ଯୁଦ୍ଧ ଭିତରେ ନାଟୋକୁ ଚେତାଇଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ୟୁକ୍ରେନର ବାୟୁସୀମାକୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଉ । ନହେଲେ ନାଟୋ ଉପରେ ଆକାଶ ମାର୍ଗରୁ ବୋମା ବର୍ଷା କରିପାରେ ରୁଷ ସେନା । ତେଣୁ ତୁରନ୍ତ ୟୁକ୍ରେନକୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରିବାକୁ ଦାବି କରିଛନ୍ତି । ଯାହା ଦ୍ୱାରା ରୁଷର ରକେଟ୍ ଓ ମିଜାଇଲ୍ ମାଡରୁ ଦେଶକୁ ରକ୍ଷା କରାଯାଇପାରିବ । ପୂର୍ବରୁ ବାରମ୍ବାର ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରିବାକୁ ଦାବି କରିଛନ୍ତି ।