ରାୟଗଡାରେ ସର୍ବକନିଷ୍ଠ ଜିଲ୍ଲାପରିଷଦ ଅଧ୍ୟକ୍ଷ: ମହିଳା ସଶକ୍ତୀକରଣର ଉଦାହରଣ ସରସ୍ୱତୀ ମାଝୀ

142

କନକ ବ୍ୟୁରୋ: ରାୟଗଡା ଜିଲ୍ଲାକୁ ମିଳିଛି ରାଜ୍ୟର ସବୁଠୁ କମ ବୟସର ଜିଲ୍ଲାପରିଷଦ ଅଧ୍ୟକ୍ଷ । ଆଦିବାସୀ ବହୁଳ କାଶୀପୁର ଅଂଚଳର ୨୩ବର୍ଷ ବୟସ୍କ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ସରସ୍ୱତୀ ମାଝି ନିଦ୍ୱର୍ନ୍ଦ୍ୱରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାର ଅଭିଜ୍ଞ ନେତାଙ୍କୁ ପଛରେ ପକାଇ ଆଦିବାସୀ ବହୁଳ ଅଂଚଳର ଆଦିବାସୀ ଝିଅକୁ ଅଧ୍ୟକ୍ଷ କରିଛି ବିଜେଡି । ୨୦୧୯ରେ ବିଏସସିରେ ପାସ କରିଛନ୍ତି । ଲୋକଙ୍କ ସେବା କରିବାକୁ ରାଜନୀତିରେ ପାଦ ଦେଇ ସରସ୍ୱତୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବନିଯାଇଛନ୍ତି ।

ସ୍ୱାଭିମାନ ଅଂଚଳରୁ ସଶକ୍ତ ମହିଳାଙ୍କ ସଂଘର୍ଷ କାହାଣୀ
ଏସଏଚଜି ମହିଳାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ମାଲକାନଗିରିର ସ୍ୱାଭିମାନ ଅଂଚଳର ସମାରୀ ତାଙ୍ଗୁଲୁ । ଏସଏଚଜି ମହିଳାରୁ ଏବେ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି । ସ୍ୱାଭିମାନ ଅଂଚଳର ମହିଳାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରି ସ୍ୱାଭିମାନ ଅଂଚଳର ବିକାଶ ଫୋକସରେ ଥିବା ସଙ୍କେତ ଦେଇଛି ଶାସକ ଦଳ । ୨୦୧୪ ମସିହାରେ ସ୍ୱାଭିମାନ ଅଂଚଳର ବଡପଡା ଠାରେ ମାଁ ସନ୍ତୋଷି ନାମକ ଏସଏଚଜି ଗଠନ କରିଥିଲେ ସମାରି । ପରେ ଓଡିଶା ଜୀବିକା ମିଶନ ପକ୍ଷରୁ କମ୍ୟୁନିଟି ରିସୋର୍ସ ପର୍ସନର ଦାୟିତ୍ୱ ତୁଲାଇ ଆଖପାଖ ଅଂଚଳର ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଠା କରିଥିଲେ । ଆଉ ଆଜି ଏହି ସଫଳତାର ଶ୍ରେୟ ମଧ୍ୟ ଏହି ଏସଚିଜି ମହିଳାଙ୍କୁ ଦେଇଛନ୍ତି ସମାରି ।