ସିଆଚୀନରେ ସୀମା ଜଗିବେ ମହିଳା ଅଧିକାରୀ । ପ୍ରଥମ ଥର ପାଇଁ ସିଆଚୀନରେ ମୂତୟନ ହେଲେ ଜଣେ ମହିଳା ଅଧିକାରୀ ।

89

କନକ ବ୍ୟୁରୋ : ସିୟାଚୀନ୍ ଗ୍ଲେସିୟର, ବରଫରେ ଆଛାଦିତ ହୋଇ ରହିଥିବା ପାହାଡ । ହାଡ ଭାଙ୍ଗିଦେଲା ଭଳି ଥଣ୍ଡା । ମାଇନସ୍ ୩୨ଡିଗ୍ରୀ ତଳେ ରହୁଥିବା ତାପମାତ୍ରାରେ ବି ଦଶେ ମାତୃକାର ସୁରକ୍ଷା ପାଇଁ ସର୍ବଦା ଜାଗ୍ରତ ପ୍ରହରୀ ଭାବେ ଛିଡା ହୋଇ ରହିଥାନ୍ତି ଭାରତୀୟ ବୀର ଯବାନ । ଆଉ ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ସିଆଚୀନରେ ମୂତୟନ କରାଯାଇଛି ।

ସିୟାଚୀନରେ ମୂତୟନ ହୋଇଥିବା ଏହି ମହିଳା ଅଧିକାରୀଙ୍କ ନାଁ ହେଉଛି କ୍ୟାପ୍ଟେନ୍ ଶିବା ଚୌହାନ୍ । ବର୍ତ୍ତମାନ ସିଆଚୀନରେ ଦିନର ତାପମାତ୍ରା ମାଇନସ୍ ୨୧ଡୀଗ୍ରୀ ଏବଂ ରାତିର ତାପମାତ୍ରା ୩୨ଡିଗ୍ରୀ ସେଲସିୟସ୍ ରହୁଥିବା ବେଳେ ଆମ ଦେଶର ବୀର ଯବାନ ମୁତୟନ ରହି ସୀମାରେ ଶତ୍ରୁକୁ ଜଗି ରହିଥାନ୍ତି ।
ସିଆଚୀନରେ ୧୯୮୪ରେ ମିଲିଟାରୀ ବେସ୍ ତିଆରି କରାଯାଇଥିଲା । ସେବେଠୁ ନେଇ ୨୦୧୫ ଭିତରେ ଖରାପ ପାଣିପାଗ ପାଇଁ ୮୭୩ ଯବାନ ପ୍ରାଣ ହରାଇସାରିଛନ୍ତି । ସିଆଚୀନ୍ ଗ୍ଲେସିୟରରେ ପ୍ରାୟ ୩ହଜାର ସୈନ୍ୟ ସବୁବେଳେ ମୂତୟନ ହୋଇ ରହିଥାନ୍ତି । ଏଠାରେ ମୂତୟନ ହୋଇ ରହିଥିବା ଯବାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଦିନ ୫ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ଏତେ ଭୟଙ୍କର ପରିସ୍ଥିତିରେ ଏବେ ଜଣେ ମହିଳା ଅଧିକାରୀ କ୍ୟାପ୍ଟେନ୍ ଶିବା ଚୌହାନ ସୀମାରେ ମୂତୟନ ହୋଇଛନ୍ତି ।