ରସୁଲଗଡ ଛକରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଲେ ନକଲି ସାମ୍ବାଦିକ : କାବୁ କରି ନିସ୍ତୁକ ଛେଚିବା ପରେ ବନ୍ଧୁକ ସହ ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକ 

740

କନକ ବ୍ୟୁରୋ : ବନ୍ଧୁକ ଦେଖାଇଲେ ଛେଚା ଖାଇଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ରସୁଲଗଡ ଛକରେ । ଯୁବକ ଜଣଙ୍କ ବନ୍ଧୁକ ଦେଖାଇ ଛକରେ କିଛି ସମୟ ପାଇଁ ଆତଙ୍କ ଖେଳାଇଥିଲେ  । ତାପରେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ନିସ୍ତୁକ ଛେଚିଥିଲେ ସ୍ଥାନୀୟ ଲୋକେ । ତାପରେ ବନ୍ଧୁକ ସହ  ସେହି ଯୁବକଙ୍କୁ ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ  । ତେବେ ମାଡ ଖାଇବା ପରେ ଯୁବକ ଜଣଙ୍କ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିବା ଜଣାପଡିଛି ।

ସୂଚନା ଅନୁସାରେ ପ୍ରଦ୍ୟୁମ୍ନ କୁମାର ଶ୍ରୀଚନ୍ଦନ ରାୟ ନାମକ ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ପାଇଁ ବାଟ ଦେଖାଉଥିବା ବେଳେ ଭୁଲବଶତଃ ଗାଡ଼ିକୁ ରାସ୍ତାରେ ପାର୍କ କରିଦେଇଥିଲେ । ଆଉ ଏଥିପାଇଁ ଅଭିଯୁକ୍ତ ଯୁବକ ପ୍ରଦ୍ୟୁମ୍ନଙ୍କ ସହ ଯୁକ୍ତି ଆରମ୍ଭ କରିଦେଇଥିଲେ । ତୁରନ୍ତ ରାସ୍ତାରୁ ଗାଡ଼ି କାଢ଼ିବା ପାଇଁ ବନ୍ଧୁକ ଦେଖାଇ ଧମକାଇଥିଲେ । ଏପରି ଘଟଣା ଦେଖି ଦେଖଣାହାରୀ ଘଟଣାସ୍ଥଳରେ ଘଡ଼ିଏ ଅଟକି ଯାଇଥିଲେ । ତେବେ ରୁଣ୍ଡ ହୋଇଥିବା ଲୋକଙ୍କ ମୁଣ୍ଡରେ ମଧ୍ୟ ବନ୍ଧୁକ ରଖି ଆତଙ୍କିତ କରବାକୁ ଚେଷ୍ଟା କରିଥିଲେ ନକଲି ସାମ୍ବାଦିକ ।

ତେବେ ଏକାଧିକ ଲୋକ ଠୁଳ ହେବାରୁ ଅଭିଯୁକ୍ତ ଜଣକ ବନ୍ଧୁକ ଲୁଚାଇବାକୁ ଚେଷ୍ଟା କରିଥିଲା । ତେବେ ସ୍ଥାନୀୟ ବାସୀ ଅଭିଯୁକ୍ତଙ୍କୁ ମାଡ଼ ମାରି କାବୁ କରିବା ସହ ପୋଲିସର ଜିମା ଦେଇଥିଲେ ।