ରାଉରକେଲାରେ ଅଭାବନୀୟ ଘଟଣା : ପତ୍ନୀଙ୍କ ସହ ଏନଆଇଟି ପ୍ରଫେସର ଆତ୍ମହତ୍ୟା କରିଥିବା ସନ୍ଦେହ, କାରଣ ଅସ୍ପଷ୍ଟ

1,884

କନକ ବ୍ୟୁରୋ : ରାଉରକେଲାରେ ଅଭାବନୀୟ ଘଟଣା । ଏନଆଇଟି ପରିସରରେ ଥିବା କ୍ୱାର୍ଟରରୁ ଉଦ୍ଧାର ହେଲା ପ୍ରଫେସରଙ୍କ ସମେତ ପତ୍ନୀଙ୍କ ମୃତ ଦେହ । ଘରର କବାଟ ତାଡି ମୃତ ଦେହକୁ ଉଦ୍ଧାର କରିଛି ପୋଲିସ୍ । ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ରାଉରକେଲା ପୋଲିସ ଓ ସାଇଂଟିଫିକ୍ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ନ୍ୟୁଉ ଏଫଆର/ ଏ ବ୍ଲକର ୧୦୨ ନମ୍ବର କ୍ୱାର୍ଟରରେ ରହୁଥିଲେ ଦମ୍ପତି । ଗତ ଦୁଇ ଦିନ ହେଲା ପ୍ରଫେସରଙ୍କ ଘର କବାଟ ବନ୍ଦ ଥିଲା । ଏଣୁ ପଡ଼ୋଶୀଙ୍କର ସନ୍ଦେହ ହେଲା । ତା’ପରେ ସେ କବାଟ ବାଡ଼େଇ ଡାକଥିଲେ । କିନ୍ତୁ କେହି ନ ଶୁଣିବାରୁ ପଡ଼ୋଶୀମାନେ ରାଉରକେଲାର ସେକ୍ଟର-୩ ଥାନାକୁ ଖବର ଦେଇଥିଲେ । ତେବେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ଘଟଣା ସ୍ଥଳରେ ଥାନା ଅଧିକାରୀ ପହଞ୍ଚିବାପରେ କ୍ୱାର୍ଟରର କବାଟ ଭଙ୍ଗା ଯାଇଥିଲା ଏବଂ ତା’ଭିତରୁ ପ୍ରଫେସର ଓ ତାଙ୍କ ପତ୍ନୀଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ୯ବର୍ଷ ତଳେ ସେମାନେ ବିବାହ କରିଥିଲେ । କିନ୍ତୁ ଦମ୍ପତିଙ୍କର କୌଣସି ଛୁଆପିଲା ନଥିବା ଜଣାପଡିଛି । ସ୍ୱାମୀ ଏନଆଇଟିରେ ପ୍ରଫେସର ହୋଇଥିବାବେଳେ ପତ୍ନୀ ଗୃହିଣୀ ବୋଲି ସୂଚନା ମିଳିଛି । ସେ ୨୦୧୧ ମସିହାରେ ଏନଆଇଟିରେ ନିଯୁକ୍ତି ପାଇଥିଲେ । ସେମାନେ ଦକ୍ଷିଣ ଭାରତର ବୋଲି ସୂଚନା ମିଳିଛି ।