ଧୋନୀଙ୍କ ଅବସରକୁ ନେଇ ବଡ ଖୁଲାସା । କ୍ୟାପଟେନ କୁଲଙ୍କ ଅବସର ବାବଦରେ ୨ ଜଣଙ୍କୁ ପୂର୍ବରୁ ଜଣାଥିଲା ।

1,338

କନକ ବ୍ୟୁରୋ : ବିଶ୍ୱକପ ବିଜେତା ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଏବେ ବି ତାଙ୍କୁ ନେଇ ଚର୍ଚ୍ଚା ହୁଏ । ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଆଉ ଧୋନୀଙ୍କ ଅଚାନକ ଅବସର ନିଷ୍ପତ୍ତି କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ହଠାତ୍ ଧୋନୀ କିଭଳି ଏଭଳି ନିଷ୍ପତ୍ତି ନେବେ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । କିନ୍ତୁ ଧୋନୀଙ୍କ ଅବସରକୁ ନେଇ ଏବେ ବଡ ଖବର ସାମ୍ନାକୁ ଆସିଛି । ବାସ୍ତବରେ ଧୋନୀଙ୍କ ଅବସର ବାବଦରେ ଭାରତୀୟ ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଓ ପୂର୍ବ ଫିଲ୍ଡିଂ କୋଚ୍ ଆର ଶ୍ରୀଧର ପୂର୍ବରୁ ଜାଣିଥିଲେ । ଏନେଇ ସ୍ପଷ୍ଟ କରିଛନ୍ତି ଆର ଶ୍ରୀଧର ।

ଧୋନୀ ଏକମାତ୍ର ଅଧିନାୟକ ଯିଏ ସମସ୍ତ ଆଇସିସି ଟ୍ରଫି ଜିତିବାର ସୌଭାଗ୍ୟ ପାଇଛନ୍ତି । ୨୦୦୭ରେ ଟି-୨୦ ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ ଓ ଏହାପରେ ଚାମ୍ପିୟନ୍ସ ଟ୍ରଫି ଧୋନୀଙ୍କ ନେତୃତ୍ୱରେ ଜିତିଥିଲା ଟିମ୍ ଇଣ୍ଡିଆ । ୨୦୧୯ ସେମିଫାଇନାଲ ମୁକାବିଲା ଖେଳିବା ସହ ଧୋନୀ ନିଜର ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଆଉ ଏହି ମ୍ୟାଚ୍ ଖେଳିବା ସମୟରେ ହିଁ ଅବସର ନେବାକୁ ନିଷ୍ପତ୍ତି ନେଇ ସାରିଥିଲେ ଧୋନୀ । ଏନେଇ ଋଷଭ ପନ୍ତ ଓ ଫିଲ୍ଡିଂ କୋଚ୍ ଆର ଶ୍ରୀଧର ସଂକେତ ପାଇଥିଲେ ।

ଧୋନୀଙ୍କ ଅବସରକୁ ନେଇ ନିଜର ପୁସ୍ତକରେ ଉଲ୍ଲେଖ କରିଛନ୍ତି ଶ୍ରୀଧର । ଧୋନୀ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା ପରେ ଅବସର ନେବାକୁ ଯାଉଥିବା ନେଇ ସଂକେତ ପାଇଥିଲେ । କିନ୍ତୁ ଏବାବଦରେ କାହାକୁ ଜଣାଇନଥିଲେ ଶ୍ରୀଧର । ସକାଳୁ ସକାଳୁ ମାଞ୍ଚେଷ୍ଟରରେ ବ୍ରେକଫାଷ୍ଟ କରିବାକୁ ପହଞ୍ଚିଥିଲି । ଆଉ ଏହି ସମୟରେ ଧୋନୀ ଓ ଋଷଭ ପନ୍ତ ଭିତରକୁ ଆସିଥିଲେ ଏବଂ ମୋ ସହିତ କଫି ପିଇବାକୁ ବସିଥିଲେ । ଆଉ ଏହି ସମୟରେ ଧୋନୀଙ୍କୁ ପନ୍ତ କହିଥିଲେ, ଟିମର କିଛି ଖେଳାଳୀ ଲଣ୍ଡନ ଯିବାକୁ ଯୋଜନା କରୁଛନ୍ତି । ତୁମେ ଯିବ କି? ଆଉ ଏହାର ଉତ୍ତରରେ ଧୋନୀ କହିଥିଲେ, ଆଦୌ ନୁହେଁ । ମୁଁ ନିଜ ଟିମ ସହ ଶେଷ ବସ ଯାତ୍ରା କରିବାର ସୁଯୋଗ ହାତଛଡା କରିବାକୁ ଚାହୁଁନାହିଁ । ଏହା ଜାଣିବା ପରେ ଏ ବାବଦରେ କାହା ସହ କୌଣସି ଆଲୋଚନା କରିନଥିବା କହିଛନ୍ତି ଶ୍ରୀଧର । ଧୋନୀଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଏ ବାବଦରେ କାହାକୁ କିଛି କହିବାକୁ ଉଚିତ୍ ମଣିନଥିଲି । ଆଉ ପରବର୍ତ୍ତୀ ସମୟରେ ନିଜ କହିବା ମୁତାବକ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ।