ଅଞ୍ଜଳୀ ମୃତ୍ୟୁ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ । ୧୧ ପୋଲିସ କର୍ମୀ ସସପେଣ୍ଡ, ଅଭିଯୁକ୍ତଙ୍କ ଉପରେ ଚାଲିବ ହତ୍ୟା ଆଧାରରେ ମାମଲା

331

କନକ ବ୍ୟୁରୋ : ଦିଲ୍ଲୀ ଅଞ୍ଜଳୀ ମୃତ୍ୟୁ ମାମଲାରେ ଅବହେଳା କାରଣରୁ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ରହିଛନ୍ତି ୨ଜଣ ସବ୍ ଇନସ୍ପେକ୍ଟର, ୪ଜଣ ହେଡ୍ କନେଷ୍ଟବଳ, ୪ଜଣ ଆସିଷ୍ଟାଣ୍ଟ ଇନସ୍ପେକ୍ଟର ଓ ଜଣେ କନେଷ୍ଟବଳ । ଏହି ପୋଲିସ କର୍ମଚାରୀମାନଙ୍କ ମଧ୍ୟରୁ ୬ଜଣ ପିସିଆରରେ ଡ୍ୟୁଟି କରୁଥିବା ବେଳେ ୫ଜଣ ପୋଲିସ କର୍ମୀ ତଲାଶୀ କାର୍ଯ୍ୟରେ ନିୟୋଜିତ ଥିଲେ । ସ୍ପେଶାଲ ସିପି ଶାଲୀନି ସିଂ ତାଙ୍କ ଯାଂଚ ରିପୋର୍ଟରେ ଏମାନେ ଦୋଷୀ ବୋଲି ଉଲ୍ଲେଖ କରିଛନ୍ତି ।

ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତକ୍ରାଳ ପ୍ରଭାବରେ ଏମାନଙ୍କୁ ସସ୍ପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏହି ମୃତ୍ୟୁ ମାମଲାରେ ଅଭିଯୋଗ ପତ୍ରରେ ଧାରା ୩୦୨ ଯୋଡିବାକୁ ମଧ୍ୟ ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସ୍ଥାନୀୟ ଡିସିପିଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ଯଦି ଡିସିପି ତାଙ୍କ କାର୍ଯ୍ୟରେ ଅବହେଳା କରିଥିବା ନେଇ ଯାଂଚରେ ସାମ୍ନାକୁ ଆସେ ତେବେ ତାଙ୍କୁ ତୁରନ୍ତ ସସ୍ପେଣ୍ଡ କରିବାକୁ ମଧ୍ୟ ଗୃହମନ୍ତ୍ରଣାଳୟ କହିଛନ୍ତି ।

ଗୃହ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି ରାଜଧାନୀ ଦିଲ୍ଲୀରେ ଆଇନ ବ୍ୟବସ୍ଥାର ସ୍ଥିତି ସୁଧାରିବା ପାଇଁ ଯାହା ଆବଶ୍ୟକ ତାହା କରାଯିବ । ଯେଭଳି ମହିଳା ଓ ଶିଶୁମାନେ ଭୟର ବାତାବରଣ ଭିତରେ ନରୁହନ୍ତି ତାହା ଉପରେ ନଜର ରଖିବାକୁ କୁହାଯାଇଛି ।

ସୂଚନା ଥାଉକି ଡିସେମ୍ବର ୩୧ ତାରିଖ ରାତିରେ ଦିଲ୍ଲୀରେ ଅଞ୍ଜଳୀ ନାମକ ଜଣେ ଝିଅ ସହ ଏକ କାର ଦୁର୍ଘଟଣା ଘଟାଇବା ପରେ କାରଟି ଅଞ୍ଜଳୀଙ୍କୁ ୧୩ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଯାଇଥିଲା । ଏଥିରେ ଅଞ୍ଜଳୀଙ୍କର ମର୍ମନ୍ତୁଦ ମୃତ୍ୟୁ ହୋଇଥିଲା ।