ଶ୍ରୀମନ୍ଦିର ନୀତିରେ ବିଳମ୍ବ: ହୋଇପାରିଲାନି ରାତି ପହୁଡ଼ ନୀତି, ରାତି ଅନିଦ୍ରା ହେଲେ ମହାପ୍ରଭୁ

339

କନକ ବ୍ୟୁରୋ: ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ମହାପ୍ରଭୁଙ୍କୁ ଅନିନ୍ଦ୍ର ରହିବାକୁ ପଡ଼ିଛି । ବିନା ଦ୍ୱାରଫିଟା ନୀତିରେ ହୋଇଛି ଶ୍ରୀଜିଉଙ୍କ ସେବା । ରାତି ୯ଟା ୧୦ରେ ମଧ୍ୟାହ୍ନ ଧୂପ । ରାତି ୧ଟା ୪୫ରେ ସନ୍ଧ୍ୟାଧୂପ । ନୀତି ବିଳମ୍ବ ହେବାରୁ ପଡ଼ି ପାରିଲାନି ରାତ୍ରୀ ପହୁଡ଼ । ଗତକାଲି ଜଳକ୍ରୀଡ଼ା ଏକାଦଶୀରେ ପହୁଡ଼ ହୋଇପାରିନଥିବାରୁ ଆଳତିରୁ ଆରମ୍ଭ ହୋଇଥିଲା ନୀତି । ଏପଟେ ନୀତିକାନ୍ତି ବିଳମ୍ବ ଘଟଣାକୁ ସ୍ୱୀକାର କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କହିଛନ୍ତି- ନୀତି ବିଳମ୍ବ ମନୁଷ୍ୟକୃତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ସମ୍ଭବ । ପରିସ୍ଥିତିକୃତ ହୋଇଥିଲେ କାହାକୁ ଦାୟୀ କରିବା କଷ୍ଟକର । ତେବେ ନୀତିକାନ୍ତିକୁ ବ୍ୟବସ୍ଥିତ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ବଢ଼ୁଛି । ଭକ୍ତଙ୍କ ଗହଳିର ପ୍ରଭାବ ନୀତିକାନ୍ତର ପରିଚାଳନା ଉପରେ ପଡ଼ୁଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଉଛି । ତେବେ ଆସନ୍ତା ୨୦ ତାରିଖରେ ସ୍ନାନପୂର୍ଣ୍ଣିମା, ରଥଯାତ୍ରା ନେଇ ନୀତି ସବ୍ କମିଟି ବୈଠକ ବସିବ । ଏହି ବୈଠକରେ ଦୈନନ୍ଦିନ ନୀତି ବିଳମ୍ବ ପ୍ରସଙ୍ଗରେ ସମୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି ।

ତେବେ ନୀତି ବିଳମ୍ବକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି । ୨୦୧୯ ମସିହାରେ ପରିଚାଳନା କମିଟି ନିଷ୍ପତି ଅନୁସାରେ ନୀତି ବିଳମ୍ବ ପାଇଁ ପୁରସ୍କାର କାଟିବା ବା ସ୍ଥଗିତ ରଖିବା ପାଇଁ ନିଷ୍ପତି ନିଆଯାଇଥିଲା । ଅଧଘଂଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବାର ବ୍ୟବସ୍ଥା ରହିଛି । ଘଂଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବାକୁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଏବେ ଏହା କାର୍ଯ୍ୟକାରୀ କରାଯାଉନାହିଁ ।