ରାଜନୈତିକ ଦଳକୁ କିଏ ଦିଅନ୍ତି ଚାନ୍ଦା? ଅଜଣା ସୂତ୍ରରୁ ଆସୁଛି ସିଂହଭାଗ ଆୟ

521

କନକ ବ୍ୟୁରୋ: ରାଜନୈତିକ ଦଳର ଆୟ କେଉଁଠୁ ଆସେ, କେଉଁମାନେ କୋଟି କୋଟି ଟଙ୍କା ଦେଇ ଦଳଗୁଡିକୁ ମାଲମାଲ କରନ୍ତି, ଏ ସଂପର୍କରେ ଜାଣିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ରହିଥାଏ । କିନ୍ତୁ ବିଡମ୍ବନାର କଥା ହେଉଛି, ମୋଟା ଅଙ୍କର ଅର୍ଥ କେଉଁଠୁ ଆସେ, ତାହା ଜାଣି ହୁଏନି, କାରଣ ଏହା ଅଜଣା ସୂତ୍ରରୁ ଆସିଥାଏ । ସବୁଠୁ ବଡ଼ କଥା ହେଉଛି, ଏହି ଅଜଣା ସୂତ୍ରରୁ ହୋଇଥାଏ ଆଂଚଳିକ ଦଳଗୁଡ଼ିକର ସର୍ବାଧିକ ଆୟ । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ଆଂଚଳିକ ଦଳଗୁଡିକ କରିଥିବା ଆୟ ସଂପର୍କରେ ରିପୋର୍ଟ ପ୍ରକାଶ ପାଇଛି ।

ଯଦି ସାଧାରଣ ଲୋକଙ୍କ ଆୟ ଅଜଣା ସୂତ୍ରରୁ ଆସିଥାଏ, ତାହା ବ୍ଲାକ୍ ମନିର ଆଖ୍ୟା ଦିଆଯାଏ, କିନ୍ତୁ ରାଜନୈତିକ ଦଳର ଆୟର ସିଂହଭାଗ ଅଜଣା ସୂତ୍ରରୁ ଆସିଥାଏ । ଚାନ୍ଦା ପ୍ରଦାନ କରୁଥିବା ବ୍ୟକ୍ତି ବା ସଂସ୍ଥା କିଏ, ତାହା ଜଣାପଡ଼େ ନାହିଁ । ତେଣୁ ପାର୍ଟିକୁ କିଏ ଫଣ୍ଡିଂ କରେ ସାଧାରଣ ଲୋକ ଜାଣି ପାରନ୍ତି ନାହିଁ ।

ନଜର ପକାନ୍ତୁ, ୨୦୨୧-୨୨ ଆର୍ଥିକ ବର୍ଷରେ ଅଜଣା ସୂତ୍ରରୁ କାହାର ଆୟ କେତେ?
ଦେଶର ୨୭ଟି ଆଂଚଳିକ ଦଳ ମୋଟ ୧୧୬୫ କୋଟି ଆୟ କରିଛନ୍ତି
ମାତ୍ର ୧୪୫ କୋଟି ଟଙ୍କା ଦେଇଥିବା ଦାତାଙ୍କ ସଂପର୍କରେ ତଥ୍ୟ ରହିଛି
ଅର୍ଥାତ୍ ମାତ୍ର ୧୨.୪ ପ୍ରତିଶତ ଦାତାଙ୍କ ପରିଚୟ ରହିଛି
ଆଂଚଳିକ ଦଳ ମଧ୍ୟରୁ ଅଜଣା ସୂତ୍ରରୁ ଡିଏମ୍କେ ପାଇଛି ୩୦୬ କୋଟି
ଦ୍ୱିତୀୟରେ ବିଜେଡିକୁ ମିଳିଛି ୨୯୧ କୋଟି ଟଙ୍କା
ତୃତୀୟରେ ଟିଆର୍ଏସ୍ ପାଇଛି ୧୫୩ କୋଟି ଟଙ୍କା
ଅଜଣା ସୂତ୍ରରୁ ଜାତୀୟ ଦଳଠାରୁ ଆଂଚଳିକ ଦଳଗୁଡ଼ିକୁ ମିଳିଛି ଅଧିକ ଚାନ୍ଦା

ଚାନ୍ଦା ଦେଇଥିବା ବ୍ୟକ୍ତି ବା ସଂସ୍ଥା ଜଣା ନପଡୁଥିବାରୁ ରାଜନୈତିକ ଦଳଗୁଡ଼ିକର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠୁଛି । ବିଭିନ୍ନ ଦେଶରେ ପଲିଟିକାଲ୍ ପାର୍ଟି ଫଣ୍ଡିଂରେ ଯେଭଳି ସ୍ୱଚ୍ଛତା ଅବଲମ୍ବନ କରାଯାଉଛି, ଭାରତରେ ସେପରି କରିବାକୁ ଦାବି ହେଉଛି ।