ଶୋକରେ ବୁଡିଲା ଛତିଶଗଡ, ଦନ୍ତେୱାଡା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ କାନ୍ଧଦେଲେ ମୁଖ୍ୟମନ୍ତ୍ରୀ

184

କନକ ବ୍ୟୁରୋ : ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଦିଆଯାଇଛି ଶେଷ ସଲାମ । ଦାନ୍ତେୱାଡା ହସ୍ପିଟାଲରୁ ଯବାନଙ୍କ ମର ଶରୀରକୁ ଦନ୍ତେୱାଡା ପୋଲିସ ପଡ଼ିଆକୁ ନିଆଯାଇଥିଲା । ମରଶରୀର ପହଂଚିବା ପରର ଦୃଶ୍ୟ ବେଶ୍ ଭାବବିହ୍ୱଳ ଥିଲା । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ପରିବେଶ । କିଏ ନିଜ ସ୍ୱାମୀକୁ ହରାଇଛି, ତ କିଏ ନିଜ ଭାଇ କି ନିଜ ସମ୍ପର୍କୀୟକୁ ହରାଇଛି । ଆଖି ଆଗରେ ନିଜ ଲୋକଙ୍କ ମରଶରୀରକୁ ଦେଖି ଭାଙ୍ଗି ପଡ଼ିଥିଲେ ଆତ୍ମୀୟସ୍ୱଜନ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପୋଲିସ ପଡ଼ିଆରେ ପହଂଚି ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ସହିଦ ଯବାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ଆଶ୍ୱାସନା ଦେଇଛନ୍ତି   । ଏହାସହ ସହିଦ ଯବାନଙ୍କ ପରିବାରକୁ ସହାୟତା ରାଶି ଯୋଗାଇଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସହିଦଙ୍କ ମୃତଦେହକୁ କାନେ୍ଧଇଥିଲେ ମୁଖ୍ୟମନ୍ତ୍ରୀ ବଘେଲ । ଆଉ ଏହି ସମୟର ଦୃଶ୍ୟ ବେଶ୍ ଭାବବିହ୍ୱଳ ଥିଲା । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁଙ୍କ ସମେତ ସାଂସଦ ଓ ବିଧାୟକ ଓ ପୂର୍ବତନ ବିଧାୟକ ତଥା ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଯବାନଙ୍କ ମୃତଦେହକୁ କାନ୍ଧ ଦେଇ ଥିଲେ । ଏହି ଅବସରରେ ଛତିଶଗଡ଼ ବିଜେପି ପ୍ରଭାରୀ ଓମ ପ୍ରକାଶ ମାଥୁର ମଧ୍ୟ ପହଂଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେପଟେ ବାରମ୍ବାର ଛତିଶଗଡ଼ରେ ନକ୍ସଲ ଆକ୍ରମଣ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ।

ଦନ୍ତେୱାଡା ପୋଲିସ ପଡ଼ିଆରେ ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ମରଶରୀରକୁ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ଯେଉଁ ସ୍ଥାନରେ ଯବାନଙ୍କୁ ଆକ୍ରମଣ କରିଥିଲେ, ସେହି ସ୍ଥାନକୁ ଯିବେ ବାଘେଲ । ଘଟଣାସ୍ଥଳରେ ସ୍ଥିତି ଦେଖିବା ସହ ଆକ୍ରମଣ ଘଟଣାର ସମୀକ୍ଷା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ।