ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣ । ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ । ଆଗାମୀ ୨୪ ଘଣ୍ଟା ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ

69

କନକ ବ୍ୟୁରୋ: ଛତିଶଗଡରେ ନକ୍ସଲ ଆକ୍ରମଣ ପରେ ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡିକ ହାଇଆଲର୍ଟରେ ଅଛନ୍ତି । ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ସୀମାନ୍ତରେ ଗାଡିଗୁଡିକୁ ଜୋରଦାର ଯାଞ୍ଚ କରାଯାଉଛି । ସର୍ଚ୍ଚ ଅପରେସନ ବି ଜାରି ରହିଛି ।

  • ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ
  • ଛତିଶଗଡ଼ ମାଓ ଆକ୍ରମଣ ପରେ କମ୍ବିଂ ଜୋରଦାର

ଛତିଶଗଡ ଦନ୍ତେୱାଡା ନକ୍ସଲ ଆକ୍ରମଣ ପରେ ଓଡିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି । ବିଶେଷ କରି ଛତିଶଗଡ ସୀମାକୁ ଲାଗି ରହିଥିବା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡା ଓ ବରଗଡ ଜିଲ୍ଲାରେ ସତର୍କ ହୋଇଛନ୍ତି ସୁରକ୍ଷାକର୍ମୀ । ଦନ୍ତେୱାଡାରେ ବଡଧରଣର ହମଲା କରିବା ପରେ ଦରଭା କମିଟିର ସଦସ୍ୟମାନେ ଓଡିଶା ସୀମା ଭିତରକୁ ପଶି ଆସିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେଥିପାଇଁ ଛତିଶଗଡ ସୀମାକୁ ଲାଗିଥିବା ଆମ ରାଜ୍ୟର ଜିଲ୍ଲାଗୁଡିକରେ ଗତରାତିରୁ ଯାଞ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ଓଡିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଛତିଶଗଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ସହ ଜଙ୍ଗଲରେ ବି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ସୁରକ୍ଷାକର୍ମୀ । ପଡୋଶୀ ରାଜ୍ୟରେ ଆତଙ୍କ ଖେଳାଇ ଛଦ୍ମ ବେଶରେ ଖସିଯିବାକୁ ଉଦ୍ୟମ କରିପାରନ୍ତି ମାଓବାଦୀ । ସେଥିପାଇଁ ପ୍ରତ୍ୟେକ ଗାଡିକୁ ତନ୍ନତନ୍ନ କରି ଯାଞ୍ଚ କରୁଛି ପୋଲିସ । ସୂଚନାଯୋଗ୍ୟ ଯେ, ଯବାନଙ୍କ ଗୁଳିରୁ ଖସିଯାଇଛି ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ମୁରଲୀ । ଯବାନଙ୍କ ଗୁଳିରୁ ଅଳ୍ପକେ ବର୍ତିଯାଇଥିବା ନେଇ ସୂଚନା ମିଳିଛି । ଛତିଶଗଡ଼କୁ ଲାଗିଥିବା ନବରଙ୍ଗପୁର ଜିଲ୍ଲା ସୀମାରେ ଯବାନଙ୍କ ସହ ପ୍ରବଳ ଗୁଳି ବିନିମୟ ପରେ ସାଥୀ ମାଓବାଦୀ ମାନଙ୍କ ସହ ମୁରଲୀ ପଡ଼ୋଶୀ ରାଜ୍ୟର ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ପୁଲିସ ଅଧିକାରୀ ।

ମଙ୍ଗଳବାର ନବରଙ୍ଗପୁର ସୀମାନ୍ତବର୍ତ୍ତୀ ରାଇଘର ଓ ପଡ଼ୋଶୀ ଛତିଶଗଡ଼ର ଗରିଆବନ୍ଧ ଅଞ୍ଚଳରେ କିଛି ନକ୍ସଲ କମାଣ୍ଡର ଥିବା ସୂଚନା ମିଳିଥିଲା

  • ଗୁଇନ୍ଦା ସୂଚନା ଆଧାରରେ ଦୁଇ ୟୁନିଟ୍ ଏସଓଜି ଯବାନ ମଙ୍ଗଳବାର ରାତିରୁ ଅପରେସନ୍ ଆରମ୍ଭ କରିଥିଲେ
  • ବୁଧବାର ସକାଳେ ଗରିଆବନ୍ଧ ଜିଲ୍ଲା ଶୋଭା ଥାନା ଉଦନ୍ତୀ ଅଭୟାରଣ୍ୟରେ ନକ୍ସଲଙ୍କ ସହ ମୁହାମୁହିଁ ହୋଇଥିଲେ ଯବାନ
  • ମାଓ କମାଣ୍ଡର ମୁରଲୀ ନେତୃତ୍ୱରେ ୨୦ରୁ ୨୫ ଜଣ ମାଓବାଦୀ ସେଠାରେ କ୍ୟାମ୍ପ କରି ରହିଥିଲେ
  • ସେମାନଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ନକ୍ସଲ କାର୍ତିକ, ଗୁଡ଼ୁ, ଆକାଶ ଏବଂ ନନ୍ଦଲ ମଧ୍ୟ ଥିଲେ
  • ଯବାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳିମାଡ଼ ଆରମ୍ଭ କରିଥିଲେ ଓ ଯବାନ ପାଲଟା ଜବାବ ଦେଇଥିଲେ
  • ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ପରେ ନକ୍ସଲମାନେ ଅଭୟାରଣ୍ୟ ଭିତରକୁ ପଛଘୁଞ୍ଚା ଦେଇଥିଲେ

ତେବେ ନକ୍ସଲଙ୍କ କ୍ୟାମ୍ପରୁ ବିଭିନ୍ନ ପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଜବତ ହୋଇଛି । ସେଠାରେ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଜୋରଦାର କରାଯାଇଥିବା ବେଳେ ସୀମା ମଧ୍ୟ ସିଲ କରାଯାଇଛି ।