୧୫  ବର୍ଷ ପରିବାର ଠାରୁ ଅଲଗା ରହିଲେ, ଏୟାରଫୋର୍ସ ଚାକିରି ଛାଡି ସନ୍ନ୍ୟାସୀ ହେଲେ, ଏବେ ପୁଣି ଏପରି ଭେଟିଲେ

280

କନକ ବ୍ୟୁରୋ:  ବିହାର ମୋତିହାରୀରୁ ଆସିଛି ସ୍ୱାମୀ –ସ୍ତ୍ରୀଙ୍କ ନିଆରା ପ୍ରେମ କାହାଣୀ । ୧୫ ବର୍ଷ ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଘରୋଇ ମନୋମାଳିନ୍ୟକୁ ନେଇ ବିଶୃଙ୍ଖଳା ଦେଖାଦେଇଥିଲା । ଫଳରେ ରାଗରେ ପତ୍ନୀ ସନ୍ଦୀପ ଦେବୀ  ବର୍ଷକର ପୁଅକୁ ନେଇ ବାପ ଘରକୁ ପଳାଇଥିଲେ । ସେଠାରେ ନିଜ ପାଠ ପଢା ଜାରି ରଖିଲେ । କୋର୍ଟରେ କେସ୍ ବି ଚାଲିଲା । ଏପଟେ ସ୍ତ୍ରୀ ଛାଡି ପଳାଇବାରୁ ମାନସିକ ଅସନ୍ତୁଳନ ଯୋଗୁଁ ସ୍ୱାମୀ ପ୍ରଭାକର ପାଣ୍ଡେୟ ବି ନିଜ ପାଇଁ କଠୋର ନିଷ୍ପତ୍ତି ନେଇଥିଲେ । ବାୟୁସେନାରେ ଜଣେ ଅଧିକାରୀ ପଦରେ କାମ କରୁଥିଲେ ବି ମାନସିକ ଆଶାନ୍ତି ଯୋଗୁଁ ଚାକିରି ଛାଡି ସନ୍ନ୍ୟାସ ନେଲେ । ଏହାସହ ବୁଲି ବୁଲି ପୂଜାପାଠ କଲେ ।

ପରସ୍ପରଠାରୁ ଅଲଗା ହୋଇ ରହୁଥିଲେ ବି ନିଜ ଦାମ୍ପତ୍ତ୍ୟ ଜୀବନକୁ ସ୍ୱଚ୍ଛ ରଖିଥିଲେ ଉଭୟ ପତି ପତ୍ନୀ । ମନରେ ଅଭିମାନ ଥିଲେ ବି ନିଜ ଜୀବନକୁ ଆଉ କାହାରିକୁ ଆସିବାକୁ ଦେଇନଥିଲେ ଉଭୟ । ହେଲେ ପୁଅ ବଡ ହୋଇ ଯେତେବେଳେ ବାପାଙ୍କ କଥା ପଚାରିଲା ସେତେବେଳେ ସନ୍ଦୀପ ଦେବୀଙ୍କ ମନ ତରଳିଥିଲା । ସ୍ୱାମୀ ଅନେକ ଖୋଜାଖୋଜି ପରେ ଶେଷରେ ସନ୍ଧାନ ପାଇଲେ । କୌଣସି ଏକ ସ୍ଥାନରେ ସନ୍ନ୍ୟାସୀ ଜୀବନ ବିତାଉଥିବା ପ୍ରଭାକରଙ୍କର ଭେଟ ମିଳିଥିଲା । ଉଭୟଙ୍କୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ ସ୍ୱାମୀ, ସ୍ତ୍ରୀ । ଏବେ ପୁଣି ଏକାଠି ରହିବାକୁ  ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ, ସ୍ତ୍ରୀ ।