ରାମଚଣ୍ଡୀ ପୀଠ ସୌନ୍ଦର୍ଯ୍ୟକରଣରେ ଦୁର୍ନୀତି: ଲୁଣି ବାଲି ଓ ପାଣିରେ ହେଉଛି ନିର୍ମାଣ କାର୍ଯ୍ୟ

165

କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ମନ୍ଦିର ଗୁଡିକର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ସତ୍ୱେ ଯାଂଚ କରୁନାହାଁନ୍ତି ବିଭାଗୀୟ ଅଧିକାରୀ । ୧୬ କୋଟି ଟଙ୍କା ବ୍ୟୟରେ ରାମଚଣ୍ଡି ପୀଠର ଉନ୍ନତିକରଣ କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ସାରା ରାଜ୍ୟରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯାଉଥିବା ବେଳେ ଏଥିରେ ସାମିଲ ହୋଇଛି ପୁରୀ-କୋଣାର୍କ ମେରାଇଲ ରୋଡରେ ଥିବା ରାମଚଣ୍ଡି ପୀଠ । ଏହି ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଠାରେ ଆଲୋକିକରଣ ସହ ପାର୍କିଂ, ପାର୍କ, ସେଲଫି ପଏଂଟ୍ ଆଦିର ଉନ୍ନତି କରଣ କାର୍ଯ୍ୟ ୨ ଜଣ ଠିକାଦାରଙ୍କୁ ଦିଆଯାଇଛି । କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । କେଉଁ କାର୍ଯ୍ୟ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଉଛି ତାର କିଛି ଫଳକ ଏଠାରେ ନାହିଁ ।

ଏଠାରେ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସିମେଂଟ୍ ବ୍ୟବହାର କରାଯାଉଥିବା ବେଳେ ଲୁଣି ବାଲି ଏବଂ ପାଣିର ବ୍ୟବହାର କରାଯାଉଛି । ଲୁହା ରଡ ପକାଇବାରେ ବ୍ୟାପକ ତୃଟି ରହିଥିବା ଅଭିଯୋଗ ହୋଇଛି । କିନ୍ତୁ ତଦାରଖ ଦାୟୀତ୍ୱରେ ଥିବା ସଂସ୍ଥା ଇପିଆଇଏଲ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଯାଂଚ କରାଯାଉନାହିଁ । ଫଳରେ କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ସଲାସୁତରା ଥିବାରୁ ଯାଂଚ କରି ଏହାର ତଦନ୍ତ ଦାବି କରିଛନ୍ତି ଲୋକେ ।