କ୍ୟାମ୍ପବେଲ ୱିଲସନ ଏୟାର ଇଣ୍ଡିଆ ସିଇଓ । ବଦଳିବ ଏୟାରଲାଇନ୍ସର ଭବିଷ୍ୟତ। କିଏ ଏହି ୱିଲସନ? ପଢନ୍ତୁ…

172

କନକ ବ୍ୟୁରୋ : ବଦଳିବ ଏୟାର ଇଣ୍ଡିଆର ଭବିଷ୍ୟତ । ଟାଟା ଗ୍ରୁପ କମ୍ପାନୀର ଆଗାମୀ ଭବିଷ୍ୟତକୁ ଆଖି ଆଗରେ ରଖି ସିଇଓ ଭାବେ କ୍ୟାମ୍ପବେଲ ୱିଲସନକୁ ନିଯୁକ୍ତି ଦେଇଛି । କମ୍ପାନୀ ତାଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି । ଏଭିଏସନ ବ୍ୟବସାୟ କ୍ଷେତ୍ରରେ ୨୬ ବର୍ଷର ଲମ୍ବା ଅଭିଜ୍ଞତା ରହିଛି ୱିଲସନଙ୍କର । ପୂର୍ବରୁ ସେ ସ୍କୁଟ ଏୟାରଲାଇନ୍ସର ସିଇଓ ଭାବେ କାମ କରିସାରିଛନ୍ତି ।

କ୍ୟାମ୍ପବେଲ ୱିଲସନ ନିଜର କ୍ୟାରିୟର ୧୯୯୬ ମସିହାରେ ସିଙ୍ଗାପୁର ଏୟାରଲାଇନ୍ସରୁ ଆରମ୍ଭ କରିଥିଲେ । ସେତେବେଳେ ସେ ନ୍ୟୁଜିଲାଣ୍ଡରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ କାମ କରିଥିଲେ । ପରେ କମ୍ପାନୀ ତାଙ୍କୁ କାମ ପାଇଁ କାନାଡା, ହଂକଂ, ଜାପାନ ପଠାଇଥିଲା । ୨୦୧୧ ମସିହାରେ ସେ ପୁଣି ସିଙ୍ଗାପୁର ଫେରିଥିଲେ । ସେ ଆସିବା ପରେ ସ୍କୁଟ ଏୟାରଲାଇନ୍ସର ଶୁଭାରମ୍ଭ କରିଥିଲେ । ୨୦୧୬ ଯାଏ ସେ ଏହି କମ୍ପାନୀର ସିଇଓ ଥିଲେ । ସ୍କୁଟ ହେଉଛି ସିଙ୍ଗାପୁରର ସବୁଠାରୁ କମ ଟଙ୍କାରେ ସର୍ଭିସ ଦେଉଥିବା କମ୍ପାନୀ ।

ଏହା ପରେ ସେ ସିଙ୍ଗାପୁର ଏୟାରଲାଇନ୍ସର ବରିଷ୍ଠ ଉପସଭାପତି ଭାବେ ସେଲ୍ସ ଏବଂ ମାର୍କେଟିଂର ଦାୟିତ୍ୱ ସମ୍ଭାଳୁଥିଲେ । ପରେ ସେ ପୁଣି ଥରେ ୨୦୨୦ରେ ସ୍କୁଟ ଏୟାରଲାଇନ୍ସର ସିଇଓ ହୋଇଥିଲେ । କ୍ୟାମ୍ପବେଲ ନ୍ୟୁଜିଲାଣ୍ଡର କେଣ୍ଟବେରୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଶେଷ କରିଥିଲେ । ବିଜେନସ ଆଡମିନଷ୍ଟ୍ରେସନରେ ମାଷ୍ଟର ଅଫ୍ କମର୍ସ ଡିଗ୍ରୀ ହାସଲ କରିଥିଲେ । ଟାଟା ଗ୍ରୁପ ଏବଂ ଏୟାର ଇଣ୍ଡିଆର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ ତାଙ୍କୁ ସ୍ୱାଗତ କରିଛନ୍ତି ।