ତାରାଙ୍କ ମୁହଁରେ ନବୀନ ଜିନ୍ଦାବାଦ: ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ କଂଗ୍ରେସ ବିଧାୟକ

142

କନକ ବ୍ୟୁରୋ: ଅବସର ଥିଲା ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟର ୭୫ ତମ ସମାବର୍ତନ ଉତ୍ସବ । ଏଥିରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ୧୯୪୭ ମସିହାରେ ସ୍ଥାପିତ ହୋଇଥିବା ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ସମସ୍ତେ ଥିଲେ ଉତ୍ସବମୁଖର । କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନେଇ । ଖୋଲା ହୃଦୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ତାରା ଯେତେବେଳେ ଜିନ୍ଦାବାଦର ନାରା ଦେଉଥାନ୍ତି, ସମସ୍ତଙ୍କ ମୁହଁରେ ହସ ଦେଖିବବାକୁ ମିଳିଥିଲା । ତେବେ ବିଜେଡି ନେତା ରବିନାରାୟଣ ନନ୍ଦ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବା ଛଡ଼ା ତାରାଙ୍କ ପାଇଁ ଆଉ ବାଟ ନାହିଁ । ଏହାର ଜବାବରେ ତାରା କହିଛନ୍ତି, ତାଙ୍କ କାମ ଯିଏ ରେ ସେ ତାଙ୍କୁ ପ୍ରଶଂସା କରିଥାନ୍ତି । ପ୍ରଥମେ ସେ ମାଟିକୁ ଭଲ ପାଆନ୍ତି, ପରେ ପାର୍ଟିକୁ ।

ଏପଟେ ବିକ୍ରମଦେବ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବା ପରେ ଅବିଭକ୍ତ କୋଟାପୁଟବାସୀଙ୍କ ସ୍ୱପ୍ନ ସାକାର ହୋଇଛି । ଫଳରେ ଆଦିବାସୀ ଅଂଚଳର ଛାତ୍ର/ଛାତ୍ରୀମାନଙ୍କୁ ଆଉ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସମାବର୍ତନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଶିକ୍ଷା ଅର୍ଜନ କରିବା ପରେ ସମାଜ ପାଇଁ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ନବୀନ ।

ମୁଖ୍ୟମନ୍ତ୍ରୀ କେରାପୁଟ ଗସ୍ତରେ ଯାଇ ଜିଲ୍ଳାର ବିକାଶ ପାଇଁ ୧୧୩ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ପାନୀୟ ଜଳ, ରାସ୍ତା ଘାଟ ଓ ବ୍ରିଜ ନିର୍ମାଣ କରିବା ପାଇଁ ୧୫୯୬ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ନବୀନ । ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ରଶି ପ୍ରଦାନ କରାଯାଇଥିଲା ।