ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର କ’ଣ? କେଉଁଠି ହୋଇଥିଲା ହତ୍ୟାକାଣ୍ଡର ଷଡଯନ୍ତ୍ର?

845

କନକ ବ୍ୟୁରୋ: ତଦନ୍ତ ଚାଲିଛି, ସମୟ ଗଡୁଛି, ହେଲେ ମାମଲାର ମୂଳରେ ପହଂଚି ପାରୁନାହିଁ କ୍ରାଇମବ୍ରାଂଚ । ଏହାରି ଭିତରେ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୫ ଦିନ ବିତିଲାଣି । କିନ୍ତୁ ମୃତ୍ୟୁ ପଛର ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି । କାହିଁକି ମନ୍ତ୍ରୀଙ୍କୁ ଗୋପାଳ ଦାସ ଗୁଳି କରି ହତ୍ୟା କଲା, ଏହା ଜାଣିବାକୁ ସାରା ଓଡିଶା ଉକ୍ରଣ୍ଠାର ସହ ଅପେକ୍ଷା କରିଛି । ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ପାଖରେ ତଦନ୍ତକାରୀ ଦଳ ପହଂଚି ପାରିନାହିଁ । କିନ୍ତୁ ତଦନ୍ତ ପ୍ରକ୍ରିୟା ଭିତରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସୁଛି ।ଯାହାକୁ ଆଧାର କରି ତଦନ୍ତକୁ ଆଗକୁ ନେଉଛି କ୍ରାଇମବ୍ରାଂଚ ।
ଏହି ରହସ୍ୟ ଉପରୁ ପରଦା ହଟାଇବାକୁ କ୍ରାଇମବ୍ରାଂଚ ତଦନ୍ତକୁ ଜୋରଦାର କରିଛି । ଗୁରୁବାର ପାଇଖାନା ଟାଙ୍କି ଖୋଳି ତା ଭିତରୁ କିଛି କାଗଜ ଟୁକୁଡା ସଂଗ୍ରହ କରିବା ପରେ, ଶୁକ୍ରବାର ଅଭିଯୁକ୍ତ ଗୋପାଳ ରହୁଥିବା ସରକାରୀ କ୍ୱାର୍ଟରକୁ ନେଇ ଛାନଭିନ୍ କରିଛି । ଗୋପାଳଙ୍କୁ ସାଥୀରେ ନେଇ କ୍ୱାର୍ଟର୍ସର ପ୍ରତିଟି ସ୍ଥାନକୁ ଯାଂଚ କରିଛନ୍ତି ତଦନ୍ତକାରୀ ଟିମ୍ । ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ସୂଚନା ମିଳିଛି ।

ଗୋପାଳ ଶନିବାର ଯାଏଁ ଅର୍ଥାତ ନବ ଦାସଙ୍କ ହତ୍ୟା କରିବା ଦିନ ପର୍ଯ୍ୟନ୍ତ ଏହି ଘରେ ରହୁଥିଲେ । ଗୋପାଳଙ୍କ ସହ ତାଙ୍କ ଭାଇ ମଧ୍ୟ ରହୁଥିଲେ । କିନ୍ତୁ ଘରକୁ ଦୁଇ ଭାଇଙ୍କ ବ୍ୟତିତ ଆଉ କିଏ ଆସିଥିଲେ କି ନାହିଁ ତାର ଖୋଳତାଡ କରୁଛି କ୍ରାଇମବ୍ରାଂଚ । କାରଣ ମନ୍ତ୍ରୀଙ୍କୁ ହତ୍ୟା କରିବା ଯୋଜନା କେବଳ ଗୋପାଳଙ୍କର ନା ଏହା ପଛରେ କିଛି ଷଡଯନ୍ତ୍ର ରହିଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ତଦନ୍ତ ଯେତିକି ଆଗଉଛି ସେତିକି ସେତିକି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ସେମିତି କ୍ରାଇମସ୍ପଷ୍ଟରୁ ଗୋପାଳଙ୍କ ବାଇକ୍ ଜବତ ପରେ ସାମନାକୁ ଆସିଛି ନୂଆ ଗୁମର । କୁହାଯାଇଛି, ବାଇକରେ ଘଟଣାସ୍ଥଳକୁ ଆସି, ମନ୍ତ୍ରୀଙ୍କୁ ଗୁଳି କରିବା ପରେ ସେହି ବାଇକରେ ଖସିଯିବାକୁ ଗୋପାଳ ଯୋଜନା କରିଥିଲା । ଏପରିକି ମନ୍ତ୍ରୀଙ୍କ ସଭାସ୍ଥଳରୁ ଅଳ୍ପ ଦୂରରେ ଗାଡି ରଖିଥିଲା ଗୋପାଳ । ଆଉ ମନ୍ତ୍ରୀଙ୍କୁ ଗୁଳି କରି ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କଲା ବେଳେ ଗୋପାଳକୁ କାବୁ କରିନେଇଥିଲେ ଉପସ୍ଥିତ ପୁଲିସ କର୍ମଚାରୀ ଓ ନବଙ୍କ ସମର୍ଥକ । ଫଳରେ ବାଇକ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିବା ଯୋଜନା ଗୋପାଳର ଫେଲ ହୋଇଯାଇଥିଲା ।

ଝାରସୁଗୁଡା ତଦନ୍ତ ଜୋରଦାର ଚାଲିଥିବାବେଳେ, ଗଞ୍ଜାମ ଓ ସମ୍ବଲପୁର ବୁର୍ଲାରେ କ୍ରାଇମବ୍ରାଂଚର ଦୁଇଟି ଟିମ୍ ଛାନଭିନ କରିଛନ୍ତି । ଗଞ୍ଜାମରେ ଥିବା ଟିମ୍ ଗୋପାଳଙ୍କ କଲେଜ ବନ୍ଧୁଙ୍କ ପଚରାଉଚୁରା କରିଥିବା ଜଣାପଡିଛି । ସେପଟେ ଆଉ ଗୋଟିଏ ଟିମ୍ ସମ୍ବଲପୁର ବୁର୍ଲା ମେଡିକାଲରେ ପହଁଚି ଚିକିତ୍ସିତ ହେଉଥିବା ଜୀବନ ନାୟକଙ୍କୁ ପଚରାଉଚୁରା କରିଛି । ଗୋପାଳଙ୍କ ଗୁଳି ଜୀବନଙ୍କ ପାଖ ଦେଇ ଖସି ଯାଇଥିଲା ।

କୁହାଯାଉଛି ନବ ଦାସଙ୍କୁ ମାରିବା ପାଇଁ ଶନିବାର ରାତିରୁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିଲା । ଆଉ ଯୋଜନା ମୁତାବକ ଗୁଳି କରିଥିଲା । କିନ୍ତୁ ଜେରା ବେଳେ କେତେ ସତ କହୁଛି ଗୋପାଳ ତାକୁ ପ୍ରମାଣିତ କରିବା କ୍ରାଇମବ୍ରାଂଚ ପାଇଁ ବଡ ଚ୍ୟାଲେଞ୍ଜ ।