ଗାନ୍ଧୀ ଜୟନ୍ତୀରେ ନେତାକର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ: ପଦଯାତ୍ରା କରି ଲୋକଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ, ଯୁବପିଢିଙ୍କୁ ସମାଜର ସେବା ପାଇଁ ଦେଲେ ଆହ୍ୱାନ

411

କନକ ବ୍ୟୁରୋ: ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେଲା ବିଜେଡି ଜନସମ୍ପର୍କ ପଦଯାତ୍ରା । ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ବିଜେଡିର ଏହି ପଦଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ଲୋକଙ୍କ ସହ ଯୋଡି ହେବା ଆଉ ଲୋକଙ୍କ ସମସ୍ୟା ବୁଝିବାକୁ ଜନ ସମ୍ପର୍କ ପଦଯାତ୍ରାର ମୂଳଲକ୍ଷ୍ୟ ବୋଲି ନବୀନ ନେତା ଓ କର୍ମୀଙ୍କୁ ବୁଝାଇଥିଲେ ।

ତେବେ ବିଜେଡି ଉପରେ ଲୋକଙ୍କ ଭରସା ଅଛି ବୋଲି ନବୀନ ନିଜ ଅଭିଭାଷଣରେ କହିଥିଲେ । ପୁଣି ଥରେ ଲୋକଙ୍କ ସେବା ପାଇଁ ସୁଯୋଗ ମିଳିଥିବାରୁ ଦଳ ଲୋକଙ୍କ ପାଖରେ ଋଣି । ତେଣୁ ପଦଯାତ୍ରରେ ଯାଇ ଲୋକଙ୍କୁ ଭେଟି ଲୋକଙ୍କ ସମସ୍ୟା ବୁଝି ତାର ସମାଧାନ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବି ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଫଳ ହୋଇଛି । ୩ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରି ଲୋକଙ୍କ ଜୀବନ ବଂଚାଇଛୁ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।

ତେବେ ଗାନ୍ଧୀ ଥିଲେ ସେବା ଓ ସଂଗ୍ରାମର ପ୍ରତୀକ । ତେଣୁ ତାଙ୍କର ତ୍ୟାଗକୁ ସମ୍ମାନ ଜଣାଇ ବିଜେଡି ଏକ ସୋସିଆଲ ସର୍ଭିସ ଶାଖା ଆରମ୍ଭ କରିବ ବୋଲି ନବୀନ କହିଛନ୍ତି । ତେବେ ସମାଜ ସେବା ନିଜର ପ୍ରିୟ କାର୍ଯ୍ୟ ବୋଲି କହିଥିବା ନବୀନ ସମାଜର ସେବା ପାଇଁ ଯୁବବର୍ଗଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ।