ସିବିଏସଇ ଓ ମାଟ୍ରିକ ବୋର୍ଡ ଢାଞ୍ଚାରେ ହେବ ସିଏଚଏସଇର ଯୁକ୍ତ ଦୁଇ ପରୀକ୍ଷା । ୟୁନିଟ ଟେଷ୍ଟ ସହ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କ ଆଧାରରେ ହେବ ମୂଲ୍ୟାୟନ । ସେପଟେ ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ ।

155

କନକ ବ୍ୟୁରୋ: ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ସିଏଚଏସଇ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ ଚଳିତ ବର୍ଷ କଳାରେ ପାସ୍ ହାର ୮୯.୪୯ ପ୍ରତିଶତ ରହିଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ ୮୬.୦୨ ପ୍ରତିଶତ ପାସହାର ରହିଛି । ରେଗୁଲାର, ଏକ୍ସରେଗୁଲାର ଓ କରେସପଣ୍ଡେନ୍ସର ମିଶି ମୋଟ ୨ଲକ୍ଷ ୨୦ହଜାର ୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୯୬ହଜାର ୯୫୯ଜଣ ପାସ୍ କରିଛନ୍ତି  ଅର୍ଥାତ ମୋଟ୍ ପାସ୍ ହାର ୮୯.୪୯ ପ୍ରତିଶତ ରହିଛି ।

ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍ ହାର ୮୫.୯୮ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୨.୩୪ ରହିଛି । ସେହିପରି ଚଳିତ ବର୍ଷ କଳାରେ ୧ଲକ୍ଷ ୮୯ହଜାର ୩୬୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧ଲକ୍ଷ ୮୬ହଜାର ୬୮୫ଜଣ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ଏକ୍ସ-ରେଗୁଲାରରେ ୨୬ହଜାର ୧୮୯ ଜଣଙ୍କ ମଧ୍ୟରୁ ୬ହଜାର ୯୪୩ଜଣ ପାସ୍ କରିଛନ୍ତି । ୯୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଛନ୍ତି । କଳାରେ ବାଲେଶ୍ୱର ଜିଲ୍ଲା ୯୫.୨୯ ପାସହାର ସହ ସର୍ବାଧିକ ଏବଂ କୋରାପୁଟରେ ସର୍ବନିମ୍ନ ୮୧.୨୩ ପ୍ରତିଶତ ରହିଛି । ଧନ୍ଦାମୂଳକରେ ନୟାଗଡ ୯୫.୬୫ ସର୍ବାଧିକ ଥିବାବେଳେ ନବରଙ୍ଗପୁରରେ ପାସହାର ଶୂନ୍ୟ ରହିଛି ।

ଅନ୍ୟପଟେ ସିବିଏସଇ ଓ ମାଟ୍ରିକ ବୋର୍ଡ ମୂଲ୍ୟାୟନ ଢାଞ୍ଚା ଆପଣେଇବ ସିଏଚଏସଇ । ବିକଳ୍ପ ମୂଲ୍ୟାୟନ ଯାହା ବର୍ଷସାରା ଚାଲିବ ସେ ନେଇ ପ୍ରସ୍ତୁତ ହେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏଥିରେ ୟୁନିଟ ଟେଷ୍ଟ ସହ ଷାଣ୍ମାସିକ ଓ ବାର୍ଷିକ ଆଦି ପରୀକ୍ଷା ରହିବ । ଏହାକୁ ସିଏଚଏସଇର ଏଗଜାମିନେସନ ବଡି କମିଟି ଖୁବଶୀଘ୍ର ସ୍ଥିର କରିବ । ତେବେ ପରୀକ୍ଷା ଫଳରେ କୌଣସି ତ୍ରୁଟି ଥିଲେ ଅଗଷ୍ଟ ୨୩ ତାରିଖ ସୁଦ୍ଧା ନିଜ ନିଜ କଲେଜର ପ୍ରିନ୍ସିପାଲମାନଙ୍କ ପାଖରେ ଛାତ୍ରଛାତ୍ରୀ ପ୍ରମାଣସହ ଅଭିଯୋଗ ଦାଖଲ କରିପାରିବେ । ଯେଉଁ ପରୀକ୍ଷାର୍ଥୀମାନେ ନିଜ ନମ୍ବରରେ ସନ୍ତୁଷ୍ଟ ନଥିବେ, ସେମାନେ ଇଚ୍ଛାକଲେ ପୁଣି ଥରେ ପରୀକ୍ଷା ଦେଇପାରିବେ । ଅଫଲାଇନ ମୋଡରେ ପରୀକ୍ଷା ସମ୍ପର୍କରେ ଆସନ୍ତା ୨୧ ତାରିଖରେ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ।