ସୀମାନ୍ତବର୍ତ୍ତୀ ଗାଁରେ ଲାଗିଛି ହିନ୍ଦୀ ଭାଷାରେ ପୋଷ୍ଟର: ଓଡି଼ଶା ମାଟିରେ ହିନ୍ଦୀରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ ନେତା

70

କନକ ବ୍ୟୁରୋ: ଓଡି଼ଶା ମାଟିରେ ଓଡ଼ିଆ ନେତାଙ୍କ ହିନ୍ଦୀରେ ପ୍ରଚାର । ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତୀ ଗାଁରେ ହିନ୍ଦୀ ଭାଷାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ମାଝୀ । କଥା କଥାକେ ଓଡିଶାର ସ୍ୱାଭିମାନ ଓ ପ୍ରୀତି ଦେଖାଉଥିବା ନେତାଙ୍କ ହିନ୍ଦୀରେ ପ୍ରଚାରକୁ ଲୋକେ କେମିତି ଗ୍ରହଣ କରୁଛନ୍ତି ତାହା ମତଦାନ ଫଳାଫଳ ଆସିବା ପରେ ଜଣାପଡିବ ।

ଛତିଶଗଡ ସୀମାନ୍ତବର୍ତି ଓଡିଶା ଗାଁରେ ଲାଗିଛି ହିନ୍ଦୀ ଭାଷାରେ ପୋଷ୍ଟର । ହିନ୍ଦୀରେ ଲେଖା ହୋଇଥିବା ପୁସିଂ କାର୍ଡ ଘରି ପ୍ରାର୍ଥୀ ଓ ନେତା ମଧ୍ୟ ଘର ଘର ବୁଲି ହିନ୍ଦୀରେ ପ୍ରଚାର କରୁଛନ୍ତି । ହେଭିୱେଟ ନେତା ବି ଓଡ଼ିଆ ବଦଳରେ ହିନ୍ଦୀରେ ଭାଷଣ ଦେଉଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ର କୁନ୍ଦେଇ, ଖିଲୋଲି, ହାଟଭରଣ୍ଡି, କାଉଡୋଲା, ସହ ଅନେକ ସୀମାନ୍ତବର୍ତୀ ପଂଚାୟତର ଏମିତି ପ୍ରଚାର ଚାଲିଛି ।

ଛତିଶଗଡ ସୀମାରେ ରହୁଥିବା ଅଧିବାସୀ ଓଡିଆ ଅପେକ୍ଷା ହିନ୍ଦୀ ସହଜରେ କହି ପାରନ୍ତି ଓ ବୁଝି ପାରନ୍ତି । ତେଣୁ ଭୋଟରଙ୍କୁ ବୁଝାଇ ସୁଝାଇ ନିଜ ଆଡକୁ ଆଣିବା ପାଇଁ ହିନ୍ଦୀ ଭାଷାରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । କଂଗ୍ରେସ ଛାଡି ବିଜେଡି କ୍ୟାମ୍ପରେ ସାମିଲ ହୋଇଥିବା ବରିଷ୍ଠ ନେତା ପ୍ରଦୀପ ମାଝୀ ବି ହିନ୍ଦୀ ଭାଷାରେ ଭାଷଣ ଦେଉଥିବା ଦେଖିବାକୁ ମିଳିଛି ।

ରାଇଘର ବ୍ଲକରେ ବଙ୍ଗୀୟ ଭୋଟରଙ୍କ ସଂଖ୍ୟା ଅଧିକ । ତେଣୁ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ହିନ୍ଦୀ ଭାଷାରେ ପ୍ରଚାର କରୁଛନ୍ତି ନେତା । କିନ୍ତୁ ଗୋଟିଏ ପଟେ ଛତିଶଗଡ଼ ଓ ଅନ୍ୟପଟେ ଆନ୍ଧ୍ର, ଓଡିଶା ଜମିକୁ ହଡପ କରିବା ପାଇଁ ସୁଯୋଗ ଅପେକ୍ଷାରେ ଥିବା ବେଳେ ଓଡ଼ିଆର ସ୍ୱାଭିମାନି ନେତାଙ୍କ ହିନ୍ଦୀ ପ୍ରଚାର ସେମାନଙ୍କୁ ବେଶ ସୁହାଇବା ବୋଲି ଚର୍ଚ୍ଚା ହେଉଛି ।