ସ୍ୱାଭିମାନ ଅଞ୍ଚଳରେ କେମିତି ହେବ ନିର୍ବାଚନ? ସମ୍ବେଦନଶୀଳ ଅଞ୍ଚଳକୁ ଗସ୍ତ କରି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ପ୍ରଶାସନ 

57

କନକ ବ୍ୟୁରୋ: ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ପ୍ରଥମ ଥର ପାଇଁ ସ୍ୱାଭିମାନ ଅଂଚଳରେ ହେବ ନିର୍ବାଚନ । ତେବେ ଲାଲାଗଡରେ କେମିତି ମତଦାନ କରାଇବେ, ତାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୁଲିସ । ସମସ୍ତେ ଏବେ ଘନଘନ ସ୍ୱାଭିମାନ ଅଂଚଳ ଗସ୍ତ କରୁଛନ୍ତି । ଉଭୟ ଆକାଶ, ଜଳ ଓ ସ୍ଥଳ ପଥ ଦେଇ ନିର୍ବାଚନ ପ୍ରକ୍ରିୟା ତ୍ୱାରାନ୍ୱିତ କରାଇବା ନେଇ ବ୍ଲୁ-ପ୍ରୀଂଟ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ସେପଟେ ମାଓ ସଙ୍ଗଠନ ପକ୍ଷରୁ ଦିଆଯାଉଥିବା ଧମକ ପୂର୍ଣ୍ଣ ଚିଠି, ସ୍ଥିତିକୁ ଆହୁରି ଜଟିଳ କରିଛି ।

୨୦୧୮ ଜୁଲାଇ ମାସରେ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଂଚଳର ଅଧିକାଂଶ ଗାଁକୁ ରାସ୍ତା ଫିଟିଛି । ତେଣୁ ଚଳିତ ପଂଚାୟତ ନିର୍ବାଚନ ପାଇଁ ସ୍ଥିତି ଅନୁକୁଳ ରହିଛି । ତେବେ ଅପହଁଚ ଯନ୍ତ୍ରୀ, ଧୁଳିପୁଟ ଓ ରାଲେଗାଡା ଗାଁରେ ଭୋଟ କରାଇବା ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ ହୋଇଛି । କାରଣ ଯନ୍ତ୍ରୀ ପଂଚାୟତ ଏବେ ବି ବାହ୍ୟ ଜଗତ ସହ ବିଚ୍ଛିନ୍ନ ରହିଥିବା ବେଳେ ଯନ୍ତ୍ରୀ ସମେତ ରାଲେଗାଡା ଓ ଧୁଳିପୁଟରେ ଏବେ ବି ମାଓବାଦୀଙ୍କ ରାଜୁତି ଜାରି ରହିଛି ।

ମାଓବାଦୀଙ୍କ ନାଲି ଆଖି ଯୋଗୁଁ ୨୦୧୭ ପଂଚାୟତ ନିର୍ବାଚନରେ ସ୍ୱାଭିମାନ ଅଂଚଳରେ ଭୋଟ ହୋଇ ପାରିନଥିଲା । ଏଥର ମଧ୍ୟ ବିଭିନ୍ନ ସ୍ଥାନରେ ପୋଷ୍ଟ ମାରିଛି ମାଓ ସଂଗଠନ । କିନ୍ତୁ ଏଥର ଭୋଟ  ଦେବା ପାଇଁ ସ୍ଥାନୀୟ ଲୋକଙ୍କ ଉତ୍ସାହ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ମାଲକାନଗିରି ନିର୍ବାଚନ ନୋଡାଲ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପ ଜିଲ୍ଲାପାଳ ଓ ପୁଲିସର ବରିଷ୍ଠ ଅଧିକାରୀ ମୋଟର ବୋଟ ଯୋଗେ ବାରମ୍ବାର ସମ୍ବେଦନଶିଳ ଅଂଚଳ ଗସ୍ତ କରୁଛନ୍ତି । ସ୍ଥିତି ସମିକ୍ଷା କରି କଡା ସୁରକ୍ଷା ଭିତରେ ମତଦାନ କରିବା ନେଇ ବ୍ଲୁ ପ୍ରିଂଟ କରି ୨୨୨ ବୁଥ ଚିହ୍ନଟ କରିିଛନ୍ତି ।