ପଞ୍ଚାୟତ ନିର୍ବାଚନ ଭୋଟ ପୂର୍ବରୁ… । ନିର୍ବାଚନରେ ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କୁ ଦିଆଯିବ ବୁଷ୍ଟର ଡୋଜ ।

149

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ଭୋଟ । ତେବେ ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପୂର୍ବରୁ ନିର୍ବାଚନରେ ନିୟୋଜିତ ଥିବା କର୍ମଚାରୀଙ୍କର କୌଣସି ଅଘଟଣ ହେଲେ ମିଳୁଥିବା ଆର୍ଥିକ ସହାୟତାକୁ ବୃଦ୍ଧି କରାଯାଇଥିଲା । ଆଉ ଏବେ ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମସ୍ତଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ସମୟରେ ଅନେକ ଲୋକଙ୍କ ସଂସ୍ପର୍ଶରେ ନିର୍ବାଚନ ଅଧିକାରୀ ମାନେ ଆସିବେ । ତେଣୁ ଆଗୁଆ ସର୍ତକତାମୂଳକ ପଦକ୍ଷେପ ଭାବେ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ଏହାପରେ ରାଜ୍ୟ ସରକାର ଚିଠି ଲେଖି ଏବାବଦରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଠାରୁ ଅନୁମତି ଲୋଡିଥିଲେ । ଆଉ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସବୁଜ ସଂକେତ ମିଳିଛି ।

କରୋନା ଟୀକାର ଦ୍ୱିତୀୟ ଡୋଜ ନେବାର ୩ ମାସ ବା ୯୦ ଦିନ ପରେ ବୁଷ୍ଟର ଡୋଜ ନିର୍ବାଚନରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ, ସମସ୍ତ ମ୍ୟୁନିସପାଲଟି କମିଶନର ଓ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଛି । ଯେମିତି ନିର୍ବାଚନରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ସଠିକ ସମୟରେ ବୁଷ୍ଟର ଡୋଜ ନେଇପାରିବେ ତାହା ଉପରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବେ ବୋଲି କୁହାଯାଇଛି ।