ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଭୋଟର । କହିଲେ, ଆମେ ବାଛିଛୁ, ଆମେ ଜିତାଇବୁ । ସମୟ ଆସିଛି ଦୁର୍ନୀତି ବିରୋଧରେ ସ୍ୱର ଉଠାଇବାର…

212

କନକ ବ୍ୟୁରୋ: ଆଉ ନୁହେଁ ବହୁତ ହୋଇଗଲା । ବହୁତ ସହିଲୁ, ବହୁତ ଦେଖିଲୁ, ବହୁତ ଭୋଗିଲୁ । ଆଉ ଚୁପ ରହିବା କେତେ ଦିନ ? ନିରବ ରହିବା କେତେ ବର୍ଷ ? ଏବେ ସମୟ ଆସିଛି ପ୍ରତିବାଦ କରିବାର । ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇବାର । ନେତାଙ୍କୁ ମୁହଁତୋଡ ଜବାବ ଦେଇ ସେମାନଙ୍କୁ ଚେକ ଦେବାର । ଆଉ କେତେ ଦିନ ସମସ୍ୟା ସହ ଯୁଝି ହେବ ମଣିଷ ? ଅସୁବିଧାରେ ହନ୍ତସନ୍ତ ହେଉଥିବେ ଗାଁ ଲୋକେ ? ନାହିଁ ନାହିଁର ଟ୍ୟାଗ୍ ଲାଗିଥିବ ଗାଁ ମୁଣ୍ଡରେ… ? ସମୟ ଆସିଛି ଏକାଠି ଲଢିବା, ଗାଁର, ପଞ୍ଚାୟତର ଉନ୍ନତୀ କରିବା । ଆଉ ଦୁର୍ନୀତିଖୋରଙ୍କ କବଳରୁ କ୍ଷମତା ଛଡାଇ ଆଣିବା ।

ଦୁର୍ନୀତିମୁକ୍ତ ପଞ୍ଚାୟତ ଗଢି ତୋଳିବାର ସ୍ୱପ୍ନ ନେଇ କମର କଷିଛନ୍ତି ଗ୍ରାମବାସୀ । ଆଉ ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ କରିଛନ୍ତି ସରପଞ୍ଚ ପ୍ରାର୍ଥୀ । ଯିଏ ଦୁର୍ନୀତି ବିରୋଧରେ ଲଢିବ, ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବ । ଏଇ ଆଶା ନେଇ ସର୍ବ ସହମତି କ୍ରମେ ମହିଳାଙ୍କୁ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା କରିଛନ୍ତି ପଞ୍ଚାୟତବାସୀ ଏବଂ ତାଙ୍କ ପାଇଁ ବି ପ୍ରଚାର କରୁଛନ୍ତି ।

ଯେତେବେଳେ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ଲୋକଙ୍କୁ ଟଙ୍କା, ଭୋଜିରେ ଭସାଇ ଦେଉଛନ୍ତି । ଭୋଟ ଖଣ୍ଡେ ପାଇଁ ମାଳ ମାଳ ପ୍ରତିଶ୍ରୁତିର ମଞ୍ଜି ବୁଣୁଛନ୍ତି । ଏଇଟା କରିଦେବି, ସେଇଟା କରିଦେବି କହି କଥା ଦେଉଛନ୍ତି । ଠିକ ସେତେବେଳେ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଲଢେଇ କରିବାର ରାଣ ଖାଇ ରାଜନୀତିର ମୈଦାନରେ ଯୁଦ୍ଧ କରୁଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ନାଗପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପଦ୍ମପର୍ଣ୍ଣା ଦଳାଇ ।

ଅଭିଯୋଗ ହେଉଛି ନାଗପୁର ପଞ୍ଚାୟତରେ ଦୁର୍ନୀତି ଚରମ ସୀମାରେ ପହଁଚିଛି । ଏପରିକି ସରକାରୀ ଯୋଜନା ଅପହଞ୍ଚ ହୋଇଛି । କାଗଜ ପତ୍ରରେ ଯୋଜନା ଥିବା ବେଳେ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତୀକରଣ, ବାର୍ଦ୍ଧକ୍ୟ ଭତ୍ତା ଠାରୁ ଆରମ୍ଭ କରି ସବୁଠି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପଞ୍ଚାୟତବାସୀ ଜଣେ ଶିକ୍ଷିତା ମହିଳାଙ୍କୁ ପ୍ରାର୍ଥୀ କରି ବିଜୟୀ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଆଉ ତାଙ୍କ ପାଇଁ ଗାଁ ଗାଁ ବୁଲି, ଘର ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି । ପ୍ରଚାର କରୁଛନ୍ତି । ରାଜନୀତିରେ ଜଣେ ନେତା ପ୍ରାର୍ଥୀ ବନିଲେ ସେ ଲୋକଙ୍କ ପଛରେ ଖର୍ଚ୍ଚ କରନ୍ତି । ବିଜୟ ପାଇଁ ବିଭିନ୍ନ ଯୋଜନା ଆପଣାନ୍ତି । ହେଲେ ଏଠି ଜଣେ ପ୍ରାର୍ଥୀଙ୍କୁ ଜିତାଇବାକୁ ଲୋକେ ତାଙ୍କ ପାଇଁ ପ୍ରଚାର କରିବା ରାଜନୀତିର ରୋଚକ ଚିତ୍ରକୁ ସାମ୍ନାକୁ ଆଣିଛି ।